ପୁଲିସ ବାପାର ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟ୍‌ : କାବୁ କଲା ପୋଲିସ

ସୁନ୍ଦରଗଡ ଟାଉନ୍‌ ରେ ଘଟି ଯାଇଛି ଏକ ଚାଂଚଲ୍ୟକର ଘଟଣା I ଟାଉନ ଥାନା ଅନ୍ତର୍ଗତ ଆକ୍ସିସ ବ୍ୟାଙ୍କରୁ ବନ୍ଧୁକ ଦେଖାଇ ପାଖାପାଖି ୧୫ ଲକ୍ଷ ଟଙ୍କା ଲୁଟ୍‌ କରି ଚମ୍ପଟ ମାରିଥିଲା ଲୁଟେରା । ସେହିପରି ଲୁଟେରା ଜଣକ ଶଙ୍କରା ରୋଡ ନିକଟରେ ଜଣେ ବାଇକ ଚାଳକକୁ ବନ୍ଧୁକ ଦେଖାଇ ଭୟଭୀତ କରି ଚମ୍ପଟ ମାରୁଥିବା ବେଳେ ପୁଲିସ ଓ ଲୁଟେରା ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ପୁଲିସ ଗୁଳିରେ ଲୁଟେରା ଜଣକ ଆହତ ହୋଇଛି। ପରେ ପୁଲିସ ତାକୁ କାବୁ କରିନେଇଛି। ତା’ ବାମ ଗୋଡରେ ଗୁଳି ବାଜିଛି। ତାକୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଯାହା ଜଣାପଡିଛି ପୋଲିସ ହାତରେ କାବୁ ଲୁଟେରା ଜଣକ ସୁନ୍ଦରଗଡ଼ ସଦର ଥାନାର ଜଣେ ପୋଲିସ ASIଙ୍କ ପୁଅ। ତା’ ନାଁ ଜୟଦେବ ନାଏକ ବୋଲି ଜଣାପଡିଛି। ସେ ନିଜ ପୁଲିସ ବାପାର ସର୍ଭିସ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ କରିଥିଲା । ତା’ଠାରୁ ବନ୍ଧୁକ ଏବଂ ଲୁଟ୍ ଟଙ୍କା ଜବତ କରିଛି ପୁଲିସ। ଆଜି ଦିନ ଦ୍ୱିପହରେ ଏହି ଘଟଣା ଘଟିଛି। ଏହି ଲୁଟ୍‌ ଘଟଣାରେ ଅନ୍ୟ କାହାର ହାତ ଅଛି ନା ନାହିଁ ସେ ନେଇ ତଦନ୍ତ ଚାଲିଥିବା ଏସ୍‌ପି ସାଗରିକା ନାଥ କହିଛନ୍ତି।

Comments (0)
Add Comment