ବାଂଲାଦେଶୀ ନାଗରିକ ନକଲି ଭାରତୀୟ ପରିଚୟପତ୍ର ଦେଖାଇ ନିଯୁକ୍ତି

ବାଂଲାଦେଶ: ଜଣେ ବାଂଲାଦେଶୀ ନାଗରିକ ଭାରତକୁ ଲୁଚି ପଳାଇ ଆସି ଏଠାରେ ନକଲି ଭାରତୀୟ ପରିଚୟପତ୍ର ହାସଲ କରିଥିଲା। ଏହି ନକଲି ପରିଚୟପତ୍ର ଦେଖାଇ ସେ କେରଳରେ ଥିବା ଅତ୍ୟନ୍ତ ସମ୍ବେଦନଶୀଳ ଇଜହିମାଲା ନୌସେନା ଏକାଡେମୀରେ ବେଶ କିଛି ମାସ ହେଲା କାମ କରୁଥିଲା। କିନ୍ତୁ ଏକଥା ଜଣାପଡ଼ିବା ପରେ ବାଂଲାଦେଶୀ ନାଗରିକଙ୍କୁ ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଉଛି ୩୨ ବର୍ଷୀୟ ବିପ୍ଳବ ସୋରେନ। ସେ ଏକାଡେମୀର ଲଣ୍ଡରୀ ସେକସନରେ ଜଣେ ଠିକା କର୍ମଚାରୀ ଭାବେ କାମ କରୁଥିଲା। ଏହି ସମୟରେ ସେ ନିଜର ବାଂଲାଦେଶୀ ନାଗରିକର ପରିଚୟକୁ ସମସ୍ତଙ୍କ ଠାରୁ ଲୁଚାଇ ରଖିଥିଲା।
ମିଳିଥିବା ତଥ୍ୟ ଅନୁଯାୟୀ, ସୋରେନ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିଲା। ଭାରତକୁ ଆସିବା ପାଇଁ ଆବଶ୍ୟକ କାଗଜ ମଧ୍ୟ ତା’ ପାଖରେ ନଥିଲା। ଭାରତରେ ପହଞ୍ଚିବା ପରେ ସେ ନିଜକୁ ଭାରତୀୟ ଭାବେ ଦର୍ଶାଇବା ପାଇଁ ନକଲି ପରିଚୟପତ୍ର ହାସଲ କରିଥିଲା। ଏହାପରେ ଠିକା କର୍ମଚାରୀ ଭାବେ ନୌସେନା ଏକାଡେମୀରେ ଯୋଗ ଦେଇଥିଲା। ନିକଟରେ ତା’ ଆଚରଣକୁ ନେଇ ନୌସେନା ଅଧିକାରୀମାନେ ସନ୍ଦେହ କରିଥିଲେ। ଗୁପ୍ତ ଭାବେ ଅଧିକାରୀମାନେ ତା’ର ଗତିବିଧିକୁ ଟ୍ରାକ କରିଥିଲେ। ଶେଷରେ ସୋରେନକୁ ଉଠାଇ ନେଇ ଅଟକ ରଖାଯାଇଥିଲା। ଜେରା ଓ ତଦନ୍ତ ପରେ ତା’ ମୋବାଇଲରୁ ମିଳିଥିବା ଅନେକ କାଗଜପତ୍ରରୁ ସେ ବାଂଲାଦେଶ ନାଗରିକ ବୋଲି ପ୍ରମାଣ ମିଳିଥିଲା। ପରେ ଶୁକ୍ରବାର ରାତି ପ୍ରାୟ ୮.୧୫ରେ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ତେବେ ଏହି ଘଟଣା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେମିତି ନିଯୁକ୍ତି ପୂର୍ବରୁ ତା’ର ନାଗରିକତା ଯାଞ୍ଚ ହୋଇ ନଥିଲା? ଏହି ଘଟଣା ସମସ୍ତଙ୍କୁ ଚକିତ କରିଥିବା ବେଳେ ବିପ୍ଳବ ସୋରେନ କେମିତି ନକଲି ଭାରତୀୟ ପରିଚୟପତ୍ର ଠାବ କଲେ, ତା’ର ଖୋଳତାଡ଼ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି।