ବଣ୍ଡା ଛାତ୍ର ମଙ୍ଗଳା ମୁଦୁଲି ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ମଙ୍ଗଳା ମୁଦୁଲିଙ୍କୁ ଦୁଇ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ

ଭୁବନେଶ୍ୱର: ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ମଙ୍ଗଳା ମୁଦୁଲି I ନିଟ୍ ପରୀକ୍ଷାରେ ସଫଳତାର ଉତ୍ତୀର୍ଣ୍ଣ ହୋଇଛନ୍ତି ମାଲକାନଗିରି ଜିଲ୍ଲାରବଣ୍ଡା ଛାତ୍ର ମଙ୍ଗଳା ମୁଦୁଲି I ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ବଡବେଲ ଗ୍ରାମର ହାଡ଼ି ମୁଦୁଲି ଏବଂ ଶ୍ରୀମତୀ ମଙ୍ଗୁଳି ମୁଦୁଲିଙ୍କର ସୁପୁତ୍ର ଅଟନ୍ତି ମଙ୍ଗଳା । ସେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧିନସ୍ଥ ମୁଦୁଲିପଡ଼ା ବାଳକ ଉଚ୍ଚ ବଦ୍ୟାଳୟରୁ ମାଟ୍ରିକ ପାସ୍ କରିଥିବା ବେଳେ ବୋଲଦିଆଗୁଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଯୁକ୍ତ ଦୁଇ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ ।

ଶୁକ୍ରବାର ସନ୍ଧ୍ୟାରେ ରାଜଭବନଠାରେ ରାଜ୍ୟପାଳ ଶ୍ରୀ ରଘୁବର ଦାସ କୃତୀ ଛାତ୍ର ମଙ୍ଗଳାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଦୁଇ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି ଏବଂ ମଙ୍ଗଳାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି । ମଙ୍ଗଳାଙ୍କ ସହିତ କଥାବାର୍ତା ବେଳେ ତାଙ୍କର
ବାପା, ମାଆ, ପରିବାର, ଚଳଣି ଏବଂ ଶିକ୍ଷା ସଂପର୍କରେ ରାଜ୍ୟପାଳ ପଚାରି ବୁଝିଥିଲେ । ବିଭିନ୍ନ ଅସୁବିଧା ସତ୍ତ୍ୱେ ମଙ୍ଗଳାଙ୍କର ଦୃଢ଼ ମନୋବଳ ଏବଂ ପରିଶ୍ରମ ତାଙ୍କୁ କେବଳ ସଫଳତାର ରାସ୍ତା ଦେଖାଇ ନାହିଁ; ବରଂ ଅନ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦାହରଣ ପାଲଟିଛି ବୋଲି ରାଜ୍ୟପାଳ କହିଛନ୍ତି । ଶୁକ୍ରବାର ଦିନ ମଙ୍ଗଳା ଏମ୍‌.କେ.ସି.ଜି ହସ୍‌ପିଟାଲ ଓ ମେଡିକାଲ କଲେଜରେ ଏମ୍‌.ବି.ବି.ଏସ୍‌. ପାଠ୍ୟକ୍ରମ ପାଇଁ ନାମ ଲେଖାଇଛନ୍ତି ଜାଣି ରାଜ୍ୟପାଳ ଖୁସି ପ୍ରକଟ କରିଥିଲେ ଏବଂ ନିଜର ଲକ୍ଷ ହାସଲ ଦିଗରେ ଆଗେଇ ଯିବାକୁ ପ୍ରେରଣା ଦେଇଥିଲେ । ଏତଦ୍‌ବ୍ୟତୀତ ରାଜ୍ୟପାଳ ମଙ୍ଗଳାଙ୍କର ଏପରି କୃତିତ୍ୱ ପାଇଁ ଅନନ୍ୟ ଭୂମିକା ଗ୍ରହଣ କରିଥିବା ତାଙ୍କର ଶିକ୍ଷକ ଉତ୍କଳ କେଶରୀ ଦାସଙ୍କ ସହିତ ବାର୍ତାଳାପ କରିବା ସହ ସାଧୁବାଦ ଜଣାଇଛନ୍ତି ।