ଟ୍ରକ୍‌କୁ ପଛରୁ ପିଟିଲା ବ୍ୟାଣ୍ଡପାର୍ଟି ଗାଡ଼ି: ଜଣେ ମୃତ, ୭ ଗୁରୁତର

ଭୁବନେଶ୍ବର: ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କୁଚିଣ୍ଡା ବାଇପାସ୍‌ରେ ଏକ ଟ୍ରକ୍‌କୁ ବ୍ୟାଣ୍ଡପାର୍ଟି ଗାଡ଼ି ପଛରୁ ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୬ଟା ସମୟରେ କେନ୍ଦୁଝର ଜିଲ୍ଲାର କୁଆକାଟିରୁ ଏକ ବ୍ୟାଣ୍ଡପାର୍ଟି ଗାଡ଼ି ବରଗଡ଼ ଅଭିମୁଖେ ଯାଉଥିଲା। କୁଚିଣ୍ଡା ବାଇପାସ୍‌ ନିକଟରେ ଗାଡ଼ିଟି ଆଗରେ ଯାଉଥିବା ଏକ ଟ୍ରକ୍‌ ପଛରେ ଥିଲା। ହଠାତ୍‌ ଟ୍ରକ୍‌ଟି ବ୍ରେକ୍‌ ମାରିବାରୁ ବ୍ୟାଣ୍ଡପାର୍ଟି ଗାଡ଼ି ନିୟନ୍ତ୍ରଣ ହରାଇ ଟ୍ରକ୍‌ର ପଛପଟେ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନା ଅନୁସାରେ, ସମ୍ପୃକ୍ତ ବ୍ୟାଣ୍ଡପାର୍ଟି ସୁବର୍ଣ୍ଣପୁର ଜିଲ୍ଲାର ଏବଂ ଗାଡ଼ିରେ ପ୍ରାୟ ୩୧ ଜଣ ଲୋକ ଥିଲେ। ଦୁର୍ଘଟଣାର କାରଣ ଓ ଅନ୍ୟାନ୍ୟ ପରିସ୍ଥିତି ନେଇ କୁଚିଣ୍ଡା ପୁଲିସ ତଦନ୍ତ ଆରମ୍ଭ କରିଛି।

Band party vehicle rams into truck from behind: One dead