ଭୁବନେଶ୍ୱର: ବାଲିଅନ୍ତାର ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ ମିଳିଛି ବଡ଼ ସଫଳତା। ଘଟଣାର ମୁଖ୍ୟ ଅଭିଯୁକ୍ତ ରଞ୍ଜିତ୍ ପାତ୍ର ଓରଫ ଚିନୁ (୨୪)କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ରଞ୍ଜିତର ଘର କଟକ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗଙ୍ଗେଶ୍ଵରଗଡ଼ ଅଞ୍ଚଳରେ ବୋଲି ଜଣାପଡ଼ିଛି। ଆଜି ରଞ୍ଜିତକୁ ଗିରଫ କରାଯିବା ପରେ ଏହି ମାମଲାରେ ମୋଟ ଗିରଫ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ପୂର୍ବରୁ କମିଶନରେଟ୍ ପୋଲିସ ୧୨ ଜଣଙ୍କୁ ଗିରଫ କରିଥିବା ବେଳେ ଗତ ମେ ୧୧ ତାରିଖରେ କ୍ରାଇମବ୍ରାଞ୍ଚ ଯୁଧିଷ୍ଠିର ଜେନା ଓରଫ ବଣ୍ଟିକୁ ଗିରଫ କରିଥିଲା। ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବା ପାଇଁ ଅଭିଯୁକ୍ତର ପଲିଗ୍ରାଫ୍ ଟେଷ୍ଟ କରାଯିବା ନେଇ ଚର୍ଚ୍ଚା ହେଉଛି। ଏହାଦ୍ୱାରା ଘଟଣା ପଛର ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିପାରିବ। ଗିରଫ ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ରଞ୍ଜିତକୁ ଜେରା କରାଯାଉଛି ଏବଂ ଆଜି ସନ୍ଧ୍ୟା ସୁଦ୍ଧା ତାକୁ କୋର୍ଟ ଚାଲାଣ କରାଯିବାର ପ୍ରକ୍ରିୟା ଜାରି ରହିଛି।