ବଡମ୍ବା – ଗୋପିନାଥପୁର ଟି-ସେତୁରେ ଦଳାଚକଟା: ଜଣେ ମୃତ, ୨୦ ଗୁରୁତର

କଟକ : କଟକ ଜିଲ୍ଲା ବଡ଼ମ୍ବା ଗୋପିନାଥପୁର ଟି-ବ୍ରିଜ୍‌ରେ ଘଟିଗଲା ବଡ଼ ଅଘଟଣ I ମକର ମେଳା ଉତ୍ସବ ପାଇଁ ଆଜି ନୃସିଂହନାଥ ପୀଠରେ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା I ଏଥିରେ ସେତୁ ଉପରେ ଭକ୍ତ ମାନଙ୍କ ମଧ୍ୟରେ ଠେଲା ପେଲା ଯୋଗୁଁ ଦଳା ଚକଟା ଯୋଗୁଁ ୨୦ ଜଣ ଗୁରୁତର ହେବା ସହିତ ଜଣେ ମହିଳାଙ୍କ ମୃତ୍ୟୁ ହେବାର ସୂଚନା ମିଳିଛି I ଗୁରୁତରଙ୍କୁ ବଡ଼ମ୍ବା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗୁରୁତରଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବଡ଼ମ୍ବା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମୃତ ମହିଳା ଜଣଙ୍କ ବଡ଼ମ୍ବା ଭୀମସାହି ଆଇଁଶିଆ ଗାଁର ଅଞ୍ଜନା ସ୍ୱାଇଁ (୪୫) ବୋଲି ଜଣାପଡ଼ିଛି।

ସୂଚନାନୁସାରେ ବଡ଼ମ୍ବା ମହାନଦୀ ଉପରେ ଥିବା ଏହି ଟି-ବ୍ରିଜ୍ ସିଧାସଳଖ ସିଂହନାଥ ପୀଠକୁ ସଂଯୋଗ କରିଥାଏ। ଏହି ବ୍ରିଜ୍‌ଟି ଅତ୍ୟନ୍ତ ସଂକୀର୍ଣ୍ଣ ଥିବା ବେଳେ ମକରମେଳା ହେତୁ ବହୁ ଲୋକଙ୍କ ସମାଗମ ଏଠାରେ ହୋଇଥିଲା। ସକାଳ ସମୟରୁ ହଁ ପ୍ରବଳ ଭିଡ଼ ଲାଗି ରହିଥିଲା। ତେବେ ସେମାନେ ଦର୍ଶନ ସାରି ଫେରିବା ସମୟରେ ଭିଡ଼ ଆହୁରି ବଢିଯାଇଥିଲା। ସେହି ସମୟରେ ଅନ୍ୟ ପାଶ୍ୱର୍ରୁ ମଧ୍ୟ ଲୋକେ ପ୍ରବେଶ କରିଥିଲେ। ଏତିକି ବେଳେ ଦୁଇ ପକ୍ଷର ଲୋକ ମୁହାଁମୁହିଁ ହେବାରୁ ସ୍ଥିତି ଅସମ୍ଭାଳ ହୋଇଯାଇଥିଲା।