ପୁଣି ଚର୍ଚ୍ଚାରେ ବାବା ସାରଥୀଙ୍କ ବାରିମୂଳ ଆଶ୍ରମ : ଭକ୍ତ କଲେ ଜନ୍ମାଷ୍ଟମୀ ପୂଜା

କେନ୍ଦ୍ରାପଡ଼ା: ଚର୍ଚାରେ ବାବା ସାରଥୀଙ୍କ ବାରିମୂଳ ଆଶ୍ରମ। ଭକ୍ତ ମାନେ ପାଳନ କରିଛନ୍ତି ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ। ଏଥର ସ୍ଵଦେହରେ ନ ହେଲେ ମଧ୍ୟ ଭକ୍ତମାନେ ସାରଥୀଙ୍କ ଫଟୋ ରଖି କରିଛନ୍ତି ପୂଜାର୍ଚ୍ଚନା। ଯାହାର ଭିଡିଓ ଭାଇରାଲ୍‌ ହୋଇଛି। ତେବେ ଏଠି ପ୍ରଶ୍ନ ଉଠୁଛି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କବ୍‌ଜାରେ ଥିବା ଆଶ୍ରମରେ କେମିତି ଆୟୋଜିତ ହେଲା ଏତେ ବଡ଼ କାର୍ଯ୍ୟକ୍ରମ? ଏଥିପାଇଁ ଅନୁମତି ଦେଲା କିଏ? ଆଶ୍ରମରେ କାର୍ଯ୍ୟକ୍ରମ ଆୟୋଜନର ମାଷ୍ଟରମାଇଣ୍ଡ କିଏ? ଏହାର ଉତ୍ତର ଏବେ କାହା ପାଖରେ ନାହିଁ।

ସାରଥୀ ପ୍ରେମୀମାନେ ବାରିମୂଳ ଆଶ୍ରମର ପଛ ପାର୍ଶ୍ୱ ଗେଟ୍‌ ଦେଇ ଭିତରେ ପଶି ଥିବା ଅନୁମାନ କରାଯାଉଛି। ଯେଉଁ ସିଂହାସନ୍‌ରେ ସାରଥୀ ବସି ପ୍ରବଚନ ଦେଉଥିଲେ, ଭକ୍ତମାନେ ସେଠାରେ ତାଙ୍କ ଫଟୋ ରଖି ଫୁଲ ଓ ଚନ୍ଦନ ଦେଇ ପୂଜା କରିଥିଲେ। ପରେ ସେଠାରେ ହୋମ ଯଜ୍ଞ କରାଯାଇଥିଲା। ତା’ପରେ ସାରଥୀଙ୍କ ଫଟୋକୁ ନଗର ପରିକ୍ରମା କରିଥିବା ଆଲୋଚନା ହେଉଛି।

ପୂଜାର୍ଚ୍ଚନା ସରିବା ପରେ ସାରଥୀଙ୍କ ଭକ୍ତମାନେ ପଣା ସେବନ କରିଥିଲେ। ତା’ପରେ ଭୋଜି ଭାତ ଆୟୋଜନ ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଆଶ୍ରମରେ ଆୟୋଜିତ ଉତ୍ସବରେ ୫୦ରୁ ୬୦ ଲୋକ ସାମିଲ୍‌ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି। ସେଥିରେ ଛୋଟ ପିଲା, ମହିଳା ଓ ଯୁବତୀମାନେ ମଧ୍ୟ ଥିବା ଦେଖାଯାଉଛି।

ବିବାଦରେ ଫସିଥିବା ସାରଥୀଙ୍କ ଆଶ୍ରମକୁ ୨୦୧୯ ଜୁଲାଇ ୨୭ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନିଜ କବ୍‌ଜାକୁ ନେଇଥିଲା। ତେଣୁ ଆଶ୍ରମର ସବୁ ପ୍ରବେଶ ପଥକୁ ସିଲ୍‌ କରି ଦିଆଯାଇଥିଲା। ଏହା ସତ୍ତ୍ୱେ ଭକ୍ତମାନେ କିପରି ଆଶ୍ରମ ଭିତରେ ପଶି ପୂଜାର୍ଚ୍ଚନା କଲେ? ଭାଇରାଲ୍‌ ହୋଇଥିବା ଭିଡିଓକୁ ଦେଖିଲେ, ଲାଗୁନି ଆୟୋଜିତ କାର୍ଯ୍ୟକ୍ରମ ଗୋଟିଏ ଦିନର ବୋଲି। ବହୁ ପୂର୍ବରୁ ଏଥିପାଇଁ ଯୋଜନା ପ୍ରସ୍ତୁତି କରାଯାଇଥିବ। ହେଲେ ପ୍ରଶାସନକୁ କେମିତି ଖବର ପାଇଲାନି?

ଅନ୍ୟପକ୍ଷରେ ଆଶ୍ରମ ଭିତରେ ଏତେ ବଡ଼ କାର୍ଯ୍ୟକ୍ରମ ଆୟୋଜନ ହେଉଥିଲେ ମଧ୍ୟ ସ୍ଥାନୀୟ ଲୋକେ କିଛି ଜାଣିପାରିଲେ ନାହିଁ। ଯୋଜନା ବଦ୍ଧ ଭାବେ ପୂରା କାର୍ଯ୍ୟକ୍ରମ ସଫଳ କରାଯାଇଥିବା ଆଲୋଚନା ହେଉଛି।

ASHRAMBARIMULSARATHI BABA