ସୋଆର ଗବେଷକ ପ୍ରଫେସର କୁଳମଣି ପରିଡ଼ାଙ୍କୁ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ

ଭୁବନେଶ୍ୱର, 14/04 : ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ (ହୀରକ ଜୟନ୍ତୀ) ପାଳନ ଅବସରରେ ବିଶିଷ୍ଟ ଗବେଷକ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲୋଜି କେନ୍ଦ୍ର ର ନିର୍ଦେଶକ ପ୍ରଫେସର କୁଳମଣି ପରିଡାଙ୍କୁ ବିଜ୍ଞାନ କ୍ଷେତ୍ରରେ ପାରଦର୍ଶିତା ତଥା ଗବେଷଣା କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ଗୁରୁବାର ରାଜଧାନୀ ଗୌରବ ସମ୍ମାନ ପ୍ରଦାନ କରାଯାଇଛି |

ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଓ ରାଜଧାନୀ ପ୍ରତିଷ୍ଠା କମିଟି ପକ୍ଷରୁ ଆୟୋଜିତ ଏହି ସମାରୋହରେ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ଓ ସଂସ୍କୃତି ଏବଂ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ପ୍ରଫେସର ପରିଡାଙ୍କୁ ସମ୍ମାନିତ କରିଥିଲେ |

ଏହି ଅବସରରେ ବିଏମସି ମେୟର ଶ୍ରୀମତୀ ସୁଲୋଚନା ଦାସ ମଧ୍ୟ ଉପସ୍ଥିତ ଥିଲେ | ପୂର୍ବରୁ ପ୍ରଫେସର ପରିଡା ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ବିଶ୍ୱର ଦୁଇ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନିତ ହୋଇ ସାରିଛନ୍ତି।