ଭୁବନେଶ୍ୱର: ଓଡ଼ିଶା ଜନସେବା ଅଧିକାର ଆଇନ, ୨୦୧୨ ଅଧୀନରେ ଥିବା ସମସ୍ତ ସରକାରୀ ସେବା ଯୋଗାଣ ପ୍ରକ୍ରିୟାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ଲାଗୁ ହୋଇଛି ‘ଅଟୋ-ଅପିଲ୍ ସିଷ୍ଟମ୍’ । ଏହି ବ୍ୟବସ୍ଥାର ସୁପରିଚାଳନା ପାଇଁ ସାଧାରଣ ପ୍ରଶାସନ ଆଣିଛି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର (SOP) । ସେବାରେ ଖିଲାପ ହେଲେ କିମ୍ବା ବିଳମ୍ବ ହେଲେ ଆପେ ଆପେ ହେବ ଅପିଲ୍ । ଆଉ ଦାୟୀ ରହିବେ ସମ୍ପୃକ୍ତ ଅଧିକାରୀ । ନୂଆ ଏସଓପିରେ କଠୋର ଆର୍ଥିକ ଜୋରିମାନାର ବ୍ୟବସ୍ଥା ରହିଛି । କାର୍ଯ୍ୟରେ ବିଳମ୍ବ ପାଇଁ ଦାୟୀ ଅଫିସରଙ୍କ ଉପରେ ଦିନକୁ ୨୫୦ ଟଙ୍କା ହିସାବରେ ସର୍ବାଧିକ ୫ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯାଇ ପାରିବ । ଏହି ଜୋରିମାନା ଅର୍ଥକୁ ସମ୍ପୃକ୍ତ ଅଫିସରଙ୍କ ଏଚଆରଏମଏସ୍ ଓ ଟ୍ରେଜେରୀ ସିଷ୍ଟମ ସହ ସଂଯୋଗ କରି ସିଧାସଳଖ ତାଙ୍କ ଦରମାରୁ ଆଦାୟ କରାଯିବାର ପ୍ରାବଧାନ ରହିଛି । ଏନେଇ ସମସ୍ତ ବିଭାଗକୁ ଏସଓପି ପଠାଇଛି ସାଧାରଣ ପ୍ରଶାସନ ବିଭାଗ ।
ନୂଆ ଏସଓପି ଅନୁସାରେ, ଓଡ଼ିଶା ଜନସେବାରେ ସାମିଲ ହୋଇଥିବା ସେବା ପାଇବା ପାଇଁ ଜଣେ ଆବେଦନକାରୀ ଅନଲାଇନ୍ ପୋର୍ଟାଲ ମାଧ୍ୟମରେ ଆବେଦନ କରିବା ପରେ ଏକ ସ୍ୱତନ୍ତ୍ର ଆକନଲେଜମେଣ୍ଟ ନମ୍ବର ମଳିବ । ଯଦି ନିର୍ଦ୍ଦିଷ୍ଟ ଦାୟିତ୍ୱପ୍ରାପ୍ତ ଅଫିସର ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଉକ୍ତ ଆବେଦନର ସମାଧାନ ନ କରି ସେବା ପ୍ରଦାନରେ ବିଫଳ ହୁଅନ୍ତି । ତେବେ କୌଣସି ଅତିରିକ୍ତ ଆବେଦନ ବିନା ସିଷ୍ଟମ ସ୍ୱୟଂଚାଳିତ ଭାବେ ଉକ୍ତ ମାମଲାକୁ ‘ଅଟୋ-ଅପିଲ୍’ ଭାବରେ ପ୍ରଥମ ଅପିଲେଟ୍ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇ ଦେବ । ଆବେଦନର ୩୦ ଦିନ ମଧ୍ୟରେ ସମାଧାନ ନହେଲେ ତାହା ସ୍ଵୟଂଚାଳିତ ଭାବେ ଅଟୋ-ଅପିଲ୍ ହୋଇଯିବ । ଫଳରେ ଆବେଦନକାରୀଙ୍କୁ ବାରମ୍ବାର ବ୍ୟକ୍ତିଗତ ଭାବେ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ ।