ଅଷ୍ଟ୍ରେଲିଆକୁ ଝଟକା : ତୃତୀୟ ଟେଷ୍ଟ ଖେଳିବେ ନାହିଁ ପାଟ୍ କମିନ୍ସ,

ଭାରତ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବାକୁ ଆସିଥିବା ଅଷ୍ଟ୍ରେଲିଆକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି। ପୂର୍ବରୁ ୱାର୍ଣ୍ଣର ଆହତ ହୋଇ ସିରିଜ୍‌ରୁ ବାଦ ପଡ଼ିଥିବା ବେଳେ ଦ୍ୱିତୀୟ ଟେଷ୍ଟ ହାରିବା ପରେ ଘରକୁ ଫେରିଯାଇଥିଲେ ଅଧିନାୟକ ପାଟ୍‌ କମିସନ୍ସ। ଏବେ ସେ ତୃତୀୟ ଟେଷ୍ଟ ବି ଖେଳିପାରିବେ ନାହିଁ ବୋଲି କମିନ୍ସ କହିଛନ୍ତି।

ତାଙ୍କର ଘରୋଇ ସମସ୍ୟା ରହିଛି। ତେଣୁ ତୃତୀୟ ଟେଷ୍ଟ ଖେଳିବା ପାଇଁ ଭାରତ ଆସିପାରିବେ ନାହିଁ ବୋଲି କମିନ୍ସ କହିଛନ୍ତି। ଏପଟେ କମିନ୍ସଙ୍କ ଅନୁପସ୍ଥିତି ଅଷ୍ଟ୍ରେଲିଆ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ ତୃତୀୟ ଟେଷ୍ଟ ପାଇଁ ଷ୍ଟିଭ୍ ସ୍ମିଥ୍ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ତୃତୀୟ ଟେଷ୍ଟ ମାର୍ଚ୍ଚ ୧ ତାରିଖରେ ମଧ୍ୟପ୍ରଦେଶ ଇନ୍ଦୋରର ହୋଲ୍କର କ୍ରିକେଟ ଷ୍ଟାଡିୟମ୍‌ ଠାରେ ଖେଳାଯିବ। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଉପଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ କ୍ୟାପ୍ଟେନ୍ ଭାବେ ଦାୟିତ୍ୱ ସମ୍ବାଳିବେ। ତେବେ କ୍ୟାପ୍ଟେନ୍ କମିନ୍ସଙ୍କ ଅନୁପସ୍ଥିତି ଦଳ ପାଇଁ ବଡ଼ କ୍ଷତି ହେବ। କାରଣ କମିନ୍ସ ବ୍ୟାଟିଂ ସହ ଦଳର ମୁଖ୍ୟ ବୋଲର ମଧ୍ୟ।

କମିନ୍ସଙ୍କ ଅଭାବରେ ଦଳ ଏହି ଦୁଇଟି ଦିଗରେ ବଡ଼ କ୍ଷତି ସହିବ। ଏମିତିରେ ଅଷ୍ଟ୍ରେଲିଆ ଭାରତ ବିପକ୍ଷ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ୍‌ରେ ଲଜ୍ଜାଜନକ ଭାବେ ପରାଜୟ ହୋଇ ୦-୨ରେ ପଛୁଆ ରହିଛି। ଯାହାକୁ ନେଇ ନିଜ ଦେଶର ଖେଳାଳିମାନେ ଅଷ୍ଟ୍ରେଲିଆକୁ ସମାଲୋଚନା କରୁଛନ୍ତି।

ତେବେ ତୃତୀୟ ଟେଷ୍ଟରେ ଦଳ କମ୍‌ବ୍ୟାକ୍ କରିବାକୁ ଆଶା ରକୁଥିବା ବେଳେ ୱାର୍ଣ୍ଣରଙ୍କ ଆହତ ହେବା କାରଣରୁ ବାହାରିଯିବା ଓ ଏବେ କମିନ୍ସ ଅନୁପସ୍ଥିତି ଦଳକୁ ଦୁର୍ବଳ କରିଦେଇଛି।