ତତ୍ତ୍ୱ ଓ ଅନୁଶୀଳନକୁ ଯୋଡ଼ିବା ପ୍ରୟାସ: କିଟ୍‍ ଲ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପରିଦର୍ଶନ

ଭୁବନେଶ୍ୱର, ୨୧ ।୪: ତତ୍ତ୍ୱ ଓ ଅନୁଶୀଳନ ମଧ୍ୟରେ ଥିବା ଦୂରତା ହ୍ରାସ ଦିଗରେ କିଟ୍‍ ଲ ସ୍କୁଲ୍‍ ୮ମ ସେମେଷ୍ଟାରର ଛାତ୍ରଛାତ୍ରୀମାନେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଅପ୍ରେଲ ୧୮ତାରିଖରେ ଏକ ଶୈକ୍ଷିକ କ୍ଷେତ୍ର ପରିଦର୍ଶନ କରିଥିଲେ। ପ୍ରାଧ୍ୟାପିକା ଡ. ତୁଲିଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ୬୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏଭଳି କ୍ଷେତ୍ର ପରିଦର୍ଶନ ହେଉଛି ଏକ ଶୈକ୍ଷିକ ପରିବର୍ତ୍ତନର ପ୍ରୟାସ। ଏହି ଅବସରରେ  ଛାତ୍ରଛାତ୍ରୀମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ଆଇନ ପରାମର୍ଶଦାତା ଭାଗବତ ପ୍ରସାଦ ପାଟ୍ଟଯୋଶୀ ଓ ମୁଖ୍ୟଯନ୍ତ୍ରୀ ରବି ନାରାୟଣ ପୃଷ୍ଟିଙ୍କ ସହ ସାକ୍ଷାତ କରିବା ସହ ଆଲୋଚନା କରିବାର ସୁଯୋଗ ପାଇଥିଲେ। ଆଲୋଚନା ସମୟରେ ଛାତ୍ରଛାତ୍ରୀମାନେ ବିପଦଜନକ ବର୍ଜ୍ୟବସ୍ତୁ ଯୋଗୁଁ ହେଉଥିବା ପରିବେଶ ପ୍ରଦୂଷଣର ବିଭିନ୍ନ ଆଇନଗତ ଦିଗ ଉପରେ ଆଲୋଚନା କରିଥିଲେ। ଡ. ପ୍ରଧାନ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ପରିଦର୍ଶନର ଉଦ୍ଦେଶ୍ୟ ସମ୍ପର୍କରେ କହିବା ସହ ଭବିଷ୍ୟତର ଆଇନ୍‍ ପ୍ରଫେସନାଲଙ୍କୁ ତିଆରି କରିବା ଦିଗରେ ଏଭଳି କ୍ଷେତ୍ର ପରିଦର୍ଶନ ସୁଯୋଗ କିଭଳି ସହାୟକ ହେବ ସେ ସମ୍ପର୍କରେ କହିଥିଲେ। କିଟ୍‍ ଲ ସ୍କୁଲ୍‍ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟରେ ଏହି ସହଯୋଗିତା ଦ୍ୱାରା ଆଇନ୍‍ ଛାତ୍ରଛାତ୍ରୀମାନେ ପରିବେଶ ଆଇନ୍‍ ଓ ଏହାର ପ୍ରୟୋଗ ପ୍ରକ୍ରିୟା ଜାଣିବା କ୍ଷେତ୍ରରେ ବିଶେଷ ଉପକୃତ ହୋଇପାରିବେ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାଧୁରୀ ମିଲୀ, ଡ. ମନିଷା ମିଶ୍ର ଓ ଡ. ଚିନ୍ମୟୀ ନନ୍ଦ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।