ପଦ୍ମପୁର ଉପନିର୍ବାଚନ ଘୋଷଣା ପୂର୍ବରୁ ବିଜେଡିର ଆଟାକ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ବୀମା ରାଶି ପାଇବାରୁ ବଞ୍ଚିତ କରି ବୀମା କମ୍ପାନୀମାନେ ଏଥିପାଇଁ ସମୟ ଗଡ଼ାଇ ଚାଲିଛନ୍ତି । ଏହାଫଳରେ ଓଡ଼ିଶାର ଗରିବ କ୍ଷତିଗ୍ରସ୍ତ ଚାଷୀମାନେ ୫୦୦ କୋଟି ଟଙ୍କାର ବକେୟା ବୀମା ରାଶି ନପାଇ ଘୋର ଦୁର୍ଦ୍ଦଶା ମଧ୍ୟରେ କାଳ କାଟୁଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମଧ୍ୟ କେନ୍ଦ୍ର ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ଏହାର ପ୍ରତିବାଦରେ ସୋମବାର ବିଜେଡି ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଥା ଭୁବନେଶ୍ୱର ସ୍ଥିତ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ ଏବଂ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ ।
ପଦ୍ମପୁର ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଶାସକ ବିଜେଡି, ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିରୋଧରେ ଚାଷୀଙ୍କ ପାଇଁ ଏକ ପ୍ରକାର ଯୁଦ୍ଧ ଘୋଷଣା କରିଛି । ବରଗଡ଼ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା ବିଜେଡିର ସଭାପତି ସ୍ନେହାଙ୍ଗିନୀ ଛୁରିଆ ଏବଂ ବରିଷ୍ଠ ନେତ୍ରୀ ଶ୍ରୀମୟୀ ମିଶ୍ର ବୀମା କମ୍ପାନୀ ଦ୍ୱାରା ଓଡ଼ିଶା ଚାଷୀଙ୍କୁ ଶୋଷଣ କରାଯାଇଥିବା ବେଳେ କେନ୍ଦ୍ର ସରକାର ନିରବଦ୍ରଷ୍ଟା ସାଜିବା ଦୁଃଖର ବିଷ । ବିଜେଡି ନେତ୍ରୀ ଦ୍ୱୟ କହିଥିଲେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ହେଉଛି କେନ୍ଦ୍ର ସରକାରଙ୍କ ଏକ ଯୋଜନା । ତେଣୁ ବୀମା କମ୍ପାନୀଗୁଡ଼ିକ ବିଭିନ୍ନ ପ୍ରାକୃତ୍ରିକ ବିପର୍ଯ୍ୟୟ ଯୋଗୁଁ ଚାଷରେ କ୍ଷତି ସହିଥିବା ଗରିବ ଚାଷୀଙ୍କୁ ଯଥା ସମୟରେ ବୀମା ରାଶି ପ୍ରଦାନ ନିଶ୍ଚିତ କରିବା ଏବଂ ସେମାନଙ୍କପ୍ରତି ନ୍ୟାୟ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ମାତ୍ର ବିଭିନ୍ନ ପ୍ରାକୃତ୍ରିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପ୍ରଦାନରେ ବୀମା କମ୍ପାନିଗୁଡ଼ିକ ଅହେତୁକ ବିଳମ୍ବ କରୁଥିବା ବେଳେ କେନ୍ଦ୍ର ସରକାର ନିରବ ହୋଇ ବସିଛନ୍ତି । ଫଳରେ ଓଡ଼ିଶା ବିଶେଷ କରି ପଶ୍ଚିମ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀ କଷ୍ଟ ଓ ଯନ୍ତ୍ରଣା ସହି ଆସୁଛନ୍ତି । ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କ ଏହି ଦୁର୍ଦ୍ଦଶା ଦୂର ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ଅଗଷ୍ଟ ୨୮ ତାରିଖରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଚିଠି ଲେଖିଥିଲେ ଏବଂ ତୁରନ୍ତ ଓଡ଼ିଶାର ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ଫସଲ ବୀମା ରାଶି ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ନିକଟରେ ବାରମ୍ବାର ଦାବି ଓ ଅନୁରୋଧ କରାଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଓଡ଼ିଶାର ଚାଷୀଙ୍କୁ ନ୍ୟାୟ ପ୍ରଦାନ କରୁନାହାନ୍ତି । ଶ୍ରୀମତୀ ଛୁରିଆ ଓ ଶ୍ରୀମୟୀ କହିଥିଲେ, ବିଜୁ ଜନତା ଦଳ ସବୁବେଳେ ଓଡ଼ିଶାର ଚାଷୀଙ୍କ ଅଧିକାର ଓ ଉନ୍ନତି ଲାଗି ସଂଗ୍ରାମ କରି ଆସୁଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ସ୍ୱତନ୍ତ୍ର କୃଷି ବଜେଟ୍ ଉପସ୍ଥାପନ କରିଛନ୍ତି । ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଲାଗି ‘କାଳିଆ’ ଯୋଜନା ପ୍ରଣୟନ କରିବା ସହିତ କୃଷି ବିଭାଗକୁ କୃଷି ଓ କୃଷକକଲ୍ୟାଣ ବିଭାଗରେ ପରିଣତ କରାଯାଇଛି । ଚାଷୀଙ୍କ ସହାୟତାରେ ଓଡ଼ିଶା ଚାରି ଚାରି ଥର କୃଷି କର୍ମଣ ପୁରସ୍କାର ମଧ୍ୟ ହାସଲ କରିଛି । ମାତ୍ର ଦୁଃଖ ଏବଂ ପରିତାପର ବିଷୟ ହେଲା, କେନ୍ଦ୍ର ସରକାରଙ୍କ ନୀତି ଚାଷୀଙ୍କ ଉନ୍ନତିରେ ବାଧକ ସାଜିଛି । କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭଳି ଏକ ସମ୍ବେଦନଶୀଳ ଓ ଗୁରୁତର ପ୍ରସଙ୍ଗରେ ବୀମା କମ୍ପାନିଗୁଡ଼ିକ ଚାଷୀଙ୍କୁ ହାଲୁକାରେ ନେଇ ଶୋଷଣ କରୁଥିବାବେଳେ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରାଣାଳୟ ଆମ ରାଜ୍ୟର ଚାଷୀଙ୍କୁ ବୀମା ରାଶି ପ୍ରଦାନ ଲାଗି ନ୍ୟାଯ୍ୟ ପଦକ୍ଷେପ ନେଉନାହାନ୍ତି । ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀ କେମିତି ଏହି ଯୋଜନାରୁ ସୁଫଳ ପାଇବେ ସେଥିପାଇଁ ବିଜେଡି ସରକାର ଅନେକ ପଦକ୍ଷେପ ନେଇଛନ୍ତି । ବିଶେଷ କରି ଜାତୀୟ ଫସଲବୀମା ପୋର୍ଟାଲ ସହିତ ରାଜ୍ୟ ଲ୍ୟାଣ୍ଡ ରେକର୍ଡ ପୋର୍ଟାଲକୁ ଲିଙ୍କ୍ କରାଯାଇଛି । ସିସିଇ-ଆଗ୍ରି ଆପ୍ ଜରିଆରେ କ୍ରପ୍ କଟିଂ ଏକ୍ସପେରିମେଣ୍ଟ (ସିସିଇ) ଡାଟା ସଂଗ୍ରହ କରାଯାଇଛି । କୃଷି ଫସଲବୀମା ମନିଟରିଂ ମଡ୍ୟୁଲକୁ ଉନ୍ନତ କରାଯାଇଛି । କେବଳ ସେତିକି ନୁହେଁ, ଓଡ଼ିଶାର ଚାଷୀମାନେ କେମିତି ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରୁ ସର୍ବାଧିକ ଲାଭ ପାଇବେ, ସେଥିପାଇଁ ଓଡ଼ିଶା ସରକାର ଫସଲ ବୀମା ପ୍ରିମିୟମ ସବ୍‌ସିଡିର ନିଜ ଭାଗ ନିୟମିତ ଭାବେ ପ୍ରଦାନ କରି ଆସୁଛନ୍ତି । ମାତ୍ର ଅତ୍ୟନ୍ତ କ୍ଷୋଭର ବିଷୟ ହେଲା, ଏତେସବୁ ପଦକ୍ଷେପ ନେବା ସତ୍ତ୍ୱେ ବୀମା କମ୍ପାନିଗୁଡ଼ିକ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀ ବିଶେଷ କରି ପଶ୍ଚିମ ଓଡ଼ିଶାର ଚାଷୀଙ୍କୁ ଏଯାଏ ସେମାନଙ୍କ ପ୍ରାପ୍ୟ ୫୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଫସଲ ବୀମା ରାଶି ପ୍ରଦାନ କରୁନାହାନ୍ତି । ଶ୍ରୀମତୀ ଛୁରିଆ ଓ ଶ୍ରୀମୟୀ କହିଥିଲେ, ୨୦୨୧ ଅଗଷ୍ଟ ୧୦ରେ ପାର୍ଲାମେଣ୍ଟାରି ଷ୍ଟାଣ୍ଡିଂ କମିଟି କୃଷି ପ୍ରସଙ୍ଗରେ ଲୋକସଭାରେ ଏହାର ୨୯ତମ ରିପୋର୍ଟ ଉପସ୍ଥାପିତ କରିଥିଲେ । ଏହି ରିପୋର୍ଟର ଏକ ଅଂଶ ‘‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା: ଏକ ମୂଲ୍ୟାୟନ’’ରେ ବୀମା କମ୍ପାନିଗୁଡ଼ିକ କେମିତି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପ୍ରିମିୟମରୁ ପ୍ରଚୁର ଲାଭ କରୁଛନ୍ତି, ଅଥଚ ତୁଳନାତ୍ମକ ଭାବେ ଚାଷୀଙ୍କୁ ଯଥେଷ୍ଟ କମ୍ ଫସଲ ବୀମା ରାଶି ପ୍ରଦାନ କରୁଛନ୍ତି ତାହା ଦର୍ଶାଯାଇଥିଲା । ଫସଲ ବୀମା ପ୍ରଦାନ କରିବାରେ ବୀମା କମ୍ପାନିଗୁଡ଼ିକର ଏଭଳି ଅହେତୁକ ବିଳମ୍ବ ଯୋଗୁଁ ମୁଖ୍ୟତଃ ପଶ୍ଚିମ ଓଡ଼ିଶାର ବରଗଡ଼, ସମ୍ବଲପୁର, ସୋନପୁର, ଦେବଗଡ଼, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି ଆଦି ଜିଲ୍ଲାର ଲକ୍ଷ ଲକ୍ଷ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ଗଭୀର କ୍ଷୋଭ ପ୍ରକାଶ ପାଇଛି । ଗତ ଦୁଇ ବର୍ଷ ହେଲା କୋଭିଡ ମହାମାରୀରେ ସନ୍ତୁଳି ହେବା ପରେ ଏବେ ଫସଲ ବୀମା ରାଶି ପାଇବାରୁ ବଞ୍ଚିତ ହୋଇଥିବାରୁ ଓଡ଼ିଶାର ଚାଷୀକୁଳ ଅକଥନୀୟ ଦୁର୍ଦ୍ଦଶା ଭିତରେ ରହିଛନ୍ତି । ତେଣୁ ଓଡ଼ିଶାର ଲକ୍ଷଲକ୍ଷ ଚାଷୀଙ୍କୁ ସେମାନଙ୍କର ସମସ୍ତ ବକେୟା ଫସଲ ବୀମା ରାଶି ତୁରନ୍ତ ପ୍ରଦାନ କରିବାକୁ ବୀମା କମ୍ପାନିଗୁଡ଼ିକୁ ବାଧ୍ୟ କରିବା ଲାଗି କେନ୍ଦ୍ର ସରକାର ହସ୍ତକ୍ଷେପ କରନ୍ତୁ ବୋଲି ବିଜୁ ଜନତା ଦଳ ଦାବି କରିଛି । ଏହି ଦାବି ନେଇ ଆସନ୍ତା ଅକ୍ଟୋବର ୩୧ରେ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଭୁବନେଶ୍ୱରର ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମାନ୍ୟବର ରାଜ୍ୟପାଳ ଓ ମହାମହିମ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ । ଏହା ବ୍ୟତୀତ ଭୁବନେଶ୍ୱର ସ୍ଥିତ ବୀମା କମ୍ପାନିଗୁଡ଼ିକର କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ଏବଂ ଚାଷୀମାନଙ୍କୁ ତୁରନ୍ତ ଫସଲ ବୀମା ରାଶି ପ୍ରଦାନ କରିବାକୁ ଦାବି କରାଯିବ ବୋଲି ସେମାନେ ସୂଚନା ଦେଇଛନ୍ତି ।