ଅଟଳଜୀଙ୍କ “ସୁଶାସନ” ମନ୍ତ୍ର ହିଁ ଓଡ଼ିଶାକୁ ବିକଶିତ କରିବ – ଧର୍ମେନ୍ଦ୍ର ପ୍ରଧାନ

ବୁର୍ଲାରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର, ଡିସେମ୍ବର ୨୫ – ଆଜି ବୁର୍ଲାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁଶାସନର ମୂର୍ତ୍ତିମନ୍ତ ପ୍ରତୀକ, ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମ ଜୟନ୍ତୀ ତଥା ‘ସୁଶାସନ ଦିବସ’ରେ ଯୋଗଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି “ସୁଶାସନ” ମନ୍ତ୍ର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଓଡ଼ିଶାକୁ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଆମେ ସଂକଳ୍ପବଦ୍ଧ ।

କେନ୍ଦ୍ରମନ୍ତ୍ରୀ ପ୍ରଥମେ ଆଜି ସକାଳେ ଅଟଳ ବିହାରୀ ଜୟନ୍ତୀ ସମିତି ଏବଂ ଜିଲ୍ଲା ପ୍ରଶାସନର ମିଳିତ ପ୍ରୟାସରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଅଟଳ ଉଦ୍ୟାନ ପର୍ଯ୍ୟନ୍ତ ଏକ ଗଣଦୌଡ଼ରେ ସାମିଲ ହୋଇଥିଲେ । ପରେ ସେଠାରେ ପହଞ୍ଚି ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଉଦବୋଧନ ଦେଇ ସେ କହିଥିଲେ ଅଟଳଜୀଙ୍କ “ସୁଶାସନ” ମନ୍ତ୍ର ହିଁ ଓଡ଼ିଶାକୁ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଆମକୁ ସଦାବେଳେ ପ୍ରେରଣା ଦେଉଛି । ତାଙ୍କର ପ୍ରତିଟି କାଳଜୟୀ ସ୍ୱପ୍ନ ଓ ବାକ୍ୟକୁ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାସ୍ତବ ରୂପ ଦେଉଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ସୁଶାସନ କେବଳ ସରକାରୀ ଦାୟିତ୍ୱ ନୁହେଁ, ଏଥିରେ ସମାଜର ପ୍ରତିଟି ବର୍ଗର ସହଯୋଗ ଅପରିହାର୍ଯ୍ୟ । ଆଜିର ପବିତ୍ର ଅବସରରେ ସମ୍ବଲପୁର ଜିଲ୍ଲାରେ ସରକାରୀ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ କରିବା ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଏକ ନୂତନ ସଂସ୍କୃତି ବା ଜନଆନ୍ଦୋଳନ ଆରମ୍ଭ କରିବା । ଆମ ରାସ୍ତାଘାଟ, ଘର ଓ ଅଗଣାକୁ ସ୍ୱଚ୍ଛ ରଖି ସମ୍ବଲପୁରକୁ ଏକ ସୁନ୍ଦର ସହରରେ ପରିଣତ କରିବା ପାଇଁ ସେ ଆହ୍ୱାନ କରିଥିଲେ ।

କେନ୍ଦ୍ରମନ୍ତ୍ରୀ ତାଙ୍କ ଅଭିଭାଷଣରେ ବୁର୍ଲାକୁ ଓଡ଼ିଶାର ଏକ ପ୍ରମୁଖ ବିକାଶ କେନ୍ଦ୍ର ଭାବେ ଅଭିହିତ କରିଛନ୍ତି।
ଏହାବ୍ୟତୀତ ବୁର୍ଲା ସ୍ଥିତ ପାର୍ଟି କାର୍ଯ୍ୟାଳୟଠାରେ ଏକ ରକ୍ତଦାନ ଶିବିରକୁ ମଧ୍ୟ ସେ ଉଦଘାଟନ କରି ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନଙ୍କୁ ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।