ଭିଜିଲାନ୍ସ ଜାଲରେ ୩୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ସର୍ଜନ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଡାକ୍ତର ବାବୁ । ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ସହକାରୀ ଶଲ୍ୟ ଚିକିତ୍ସକ ଡାକ୍ତର ସତ୍ୟଜିତ୍ ବେହେରାଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି । ଜଣେ NGO କର୍ମକର୍ତ୍ତାଙ୍କଠାରୁ ସେ ଏହି ଲାଞ୍ଚ ନେଉଥିଲେ । ସତ୍ୟଜିତଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ । ଏନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ମାମଲା (ନଂ.୧୯/୨୦୨୬) ରୁଜୁ କରାଯାଇଛି । ଅଭିଯୁକ୍ତ ସତ୍ୟଜିତଙ୍କୁ ଭିଜିଲାନ୍ସ ଟିମ୍ ଅଧିକ ପଚରାଉଚରା କରୁଛି । ତାଙ୍କୁ କୋର୍ଟ ଚାଲାଣ କରିବା ପାଇଁ ଭିଜିଲାନ୍ସ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାପରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଦିଗକୁ ନେଇ ଭିଜିଲାନ୍ସ ପକ୍ଷରୁ ଅଧିକ ଖୋଳତାଡ ଆରମ୍ଭ ହୋଇଛି । ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଏହି ଚଢ଼ାଉରେ କିଛି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହେବାର ସମ୍ଭାବନା ରହିଛି । ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଅଭିଯୋଗକାରୀଙ୍କ ଏନ୍‌ଜିଓ କ୍ୟାପିଟାଲ୍ ହସ୍ପିଟାଲ୍ ପକ୍ଷରୁ କାଜୁଆଲ୍ଟିରେ ଚିକିତ୍ସା ପାଇଁ ଆସୁଥିବା ଅଜଣା ଓ ଅସହାୟ ରୋଗୀମାନଙ୍କୁ ସହାୟତା ଯୋଗାଇବା ପାଇଁ ନିୟୋଜିତ କରାଯାଇଛି । ଏନ୍‌ଜିଓ ଅଧୀନରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଜୁନ୍ ଓ ଜୁଲାଇ ମାସର ଦରମା ଉଠାଇବା ପାଇଁ ଆବଶ୍ୟକ ଥିବା ‘ୱର୍କ ସାର୍ଟିଫିକେଟ୍’ରେ ଦସ୍ତଖତ କରିବାକୁ ସତ୍ୟଜିତ ଶୁଣୁନଥିଲେ । ଏନ୍‌ଜିଓର କର୍ମକର୍ତ୍ତା ଏଥିପାଇଁ ଜୁନ୍ ମାସରୁ ଅନୁରୋଧ କରି ଆସୁଥିଲେ । ହେଲେ ଏଥିପାଇଁ ସତ୍ୟଜିତ ଏନ୍‌ଜିଓର କର୍ମକର୍ତ୍ତା ତଥା ଅଭିଯୋଗକାରୀଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ।

Assistant Surgeon caught by Vigilance while accepting a bribe of ₹30