୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ହେବ ଆସେସ୍‌ମେଣ୍ଟ ଟେଷ୍ଟ

ନବମ ଓ ଦଶମ ଶ୍ରେଣୀରେ ସମ୍ମେଟିଭ-୧ ଏବଂ ସମ୍ମେଟିଭ-୨ ପରୀକ୍ଷା କରାଯାଉଥିବା ବେଳେ ଚଳିତବର୍ଷ ପ୍ରଥମକରି ରାଜ୍ୟରେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଏହି ଆସେସ୍‌ମେଣ୍ଟ ପରୀକ୍ଷା କରାଯିବ। ତେବେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କେବଳ ସମ୍ମେଟିଭ-୨ ପରୀକ୍ଷା କରାଯିବ ବୋଲି ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ରାଜ୍ୟର ସବୁ ଜିଲା ଶିକ୍ଷା ଅଧିକାରୀଙ୍କୁ ଗୁରୁବାର ଚିଠି ଲେଖିଥିବା ଜଣାପଡ଼ିଛି।

ସୂଚନା ମୁତାବକ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମ୍ମେଟିଭ ଆସେସ୍‌ମେଣ୍ଟ ପରୀକ୍ଷା ଲାଗୁ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହେବ। ଗତ ୨ ବର୍ଷ ହେବ ରାଜ୍ୟରେ କୋଭିଡ୍‌ କଟକଣା ଲାଗି ଶିକ୍ଷାଦାନ ବ୍ୟବସ୍ଥା ବନ୍ଦ ରହିଥିଲା। ଫଳରେ ଦଶମ ଶ୍ରେଣୀ ପରୀକ୍ଷା ହୋଇ ନ ଥିବାରୁ ଛାତ୍ରୀଛାତ୍ରଙ୍କୁ ନବମ ଶ୍ରେଣୀ ମାର୍କ ଅନୁସାରେ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏପରି ସମସ୍ୟାର ସମାଧାନ ଲାଗି ଦଶମ ଶ୍ରେଣୀରେ ଉଭୟ ସମ୍ମେଟିଭ ଆସେସ୍‌ମେଣ୍ଟ-୧ ଏବଂ ୨ ପରୀକ୍ଷାର ଆୟୋଜନ କରାଯାଉଛି।

ଯଦି କରୋନା ପରି ସମସ୍ୟା ଉପୁଜେ ତେବେ ଛାତ୍ରୀଛାତ୍ରଙ୍କୁ ସମ୍ମେଟିଭ ଆସେସ୍‌ମେଣ୍ଟ ରେଜଲ୍ଟକୁ ଭିତ୍ତିକରି ସାର୍ଟିଫିକେଟ୍‌ ପ୍ରଦାନ କରାଯିବ। ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାସ୍‌ ଏବଂ ଫେଲ୍‌ ବ୍ୟବସ୍ଥା ଉଚ୍ଛେଦ ହୋଇଥିବା ବେଳେ ସମ୍ମେଟିଭ ଲାଗୁ କରିବାକୁ ନେଇ ଚର୍ଚ୍ଚା ହେଉଛି।