ଆସନ୍ତା ୧୪ ରେ ଓଡ଼ିଶା ଆସିବେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା

ଭୁବନେଶ୍ୱର: ଚଳିତ ଲୋକସଭା ନିର୍ବାଚନକୁ ଦ୍ରୁଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳଗୁଡିକ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି। ଓଡିଶାରେ ଉଭୟ ଲୋକସଭା ଆଉ ବିଧାନସଭା ନିର୍ବାଚନ ପାଇଁ ଦୁଇ ଜାତୀୟ ଦଳ ବିଜେପି ଆଉ କଂଗ୍ରେସ ପ୍ରଚାରକୁ ଓହ୍ଲାଇଥିବା ବେଳେ ଶାସକ ବିଜେଡ଼ି ଦଳ ମଧ୍ୟ ପୁଣିଥରେ ବାଜିମାତ କରିବା ପାଇଁ ଅଣ୍ଟା ଭିଡିଛି। ତେବେ ବିଜେପି ଏଥର ସମସ୍ତ ଶକ୍ତି ଲଗାଇ ଓଡିଶାରେ ଡବଲ ଇଞ୍ଜିନ ସରକାର ଗଠନ କରିବ ବୋଲି ଦାବି କରିଛି। ତେଣୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବହୁ କେନ୍ଦ୍ରମନ୍ତ୍ରୀଗଣ ବାରମ୍ବାର ଓଡିଶା ଗସ୍ତ କରି ବିଜେପି ପାଇଁ ଭୋଟ ମାଗୁଛନ୍ତି। ଏହିପ୍ରରିପ୍ରେକ୍ଷୀରେ ନିର୍ବାଚନ ପ୍ରଚାରକୁ ଶାଣିତ କରିବା ପାଇଁ ଆସନ୍ତା ୧୪ ତାରିଖ ଦିନ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଓଡ଼ିଶା ଆସୁଛନ୍ତି। ଶ୍ରୀ ଶର୍ମା ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ସିଧା ଅପରାହ୍ଣ ୨ଟା ୩୦ରେ ସ୍ୱସ୍ତି ପ୍ରିମିୟମ ହୋଟେଲରେ ଅନୁଷ୍ଠିତ “ବିଶେଷ ସମ୍ପର୍କ ଅଭିଯାନ”ରେ ଯୋଗ ଦେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

Comments (0)
Add Comment