ଏସୀୟ କ୍ରୀଡ଼ା: କ୍ୱାର୍ଟରଫାଇନାଲରେ ଆଫଗାନିସ୍ତାନକୁ ଭେଟିବ ଭାରତ

ନୂଆଦିଲ୍ଲୀ: ୨୦୨୬ ଏସୀୟ କ୍ରୀଡ଼ା କ୍ରିକେଟ୍ ଇଭେଣ୍ଟର ଲିଗ୍ ପର୍ଯ୍ୟାୟ ସମାପ୍ତ ହେବା ସହ କ୍ୱାର୍ଟରଫାଇନାଲ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତାକାଲି ଖେଳାଯିବାକୁ ଥିବା କ୍ୱାର୍ଟରଫାଇନାଲ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଆଫଗାନିସ୍ତାନକୁ ଭେଟିବ। ପୂର୍ବରୁ ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ସିଧାସଳଖ କ୍ୱାର୍ଟରଫାଇନାଲରେ ସ୍ଥାନ ପକ୍କା କରିସାରିଥିଲେ। ଏବେ ଲିଗ୍ ପର୍ଯ୍ୟାୟ ଶ୍ରେଷ୍ଠ ଦଳ ଭାବେ ନେପାଳ, ଆଫଗାନିସ୍ତାନ, ହଂକଂ ଏବଂ ମାଲେସିଆ ମଧ୍ୟ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଲିଗ୍ ପର୍ଯ୍ୟାୟରେ ଛଅଟି ଦଳକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଥିଲା। ଗ୍ରୁପ୍-ଏ’ରେ ନେପାଳ, ଆଫଗାନିସ୍ତାନ ଓ ଜାପାନ ଥିବାବେଳେ ଗ୍ରୁପ୍-ବି’ରେ ମାଲେସିଆ, ହଂକଂ ଓ ଓମାନ ସାମିଲ ଥିଲେ। ଏଥିମଧ୍ୟରୁ ଗ୍ରୁପ୍-ଏ’ରୁ ନେପାଳ ଓ ଆଫଗାନିସ୍ତାନ ଏବଂ ଗ୍ରୁପ୍-ବି’ରୁ ମାଲେସିଆ ଓ ହଂକଂ ପରବର୍ତ୍ତୀ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏସୀୟ କ୍ରୀଡ଼ାରେ ମୋଟ ଚାରୋଟି କ୍ୱାର୍ଟରଫାଇନାଲ ମ୍ୟାଚ୍ ଖେଳାଯିବ।