ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା-୨୦୨୬ ପୁରୁଷ କ୍ରିକେଟ୍ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ। ଆଜି ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଶ୍ରୀଲଙ୍କାକୁ ୧୨୪ ରନ୍ର ବିଶାଳ ବ୍ୟବଧାନରେ ପରାସ୍ତ କରିଛି। ଏହି ଦମଦାର ବିଜୟ ସହ ଭାରତ ସ୍ୱର୍ଣ୍ଣ ପଦକ ଲଢ଼େଇ ପାଇଁ ନିଜ ସ୍ଥାନ ପକ୍କା କରିଛି। ଏହି ହାଇଭୋଲଟେଜ୍ ଫାଇନାଲ ମ୍ୟାଚ୍ରେ ଭାରତର ସାମ୍ନା କରିବ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ, ଯିଏ କି ପୂର୍ବରୁ ପ୍ରଥମ ଦଳ ଭାବେ ଫାଇନାଲରେ ନିଜ ସ୍ଥାନ ସୁରକ୍ଷିତ କରିସାରିଛି। ଆସନ୍ତା ଶନିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ମହାମୁକାବିଲା ଖେଳାଯିବ। ଭାରତୀୟ ସମୟାନୁସାରେ ସକାଳ ୧୦ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଜାପାନର ନିଶିନୋମିୟାସ୍ଥିତ କୋରୋଗି ସ୍ପୋର୍ଟସ୍ ପାର୍କରେ ଖେଳାଯାଇଥିବା ଏହି ସେମିଫାଇନାଲ ମ୍ୟାଚ୍ରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୯ ରନ୍ ସଂଗ୍ରହ କରିଥିଲା। ୧୭୦ ରନ୍ର ବିଜୟ ଲକ୍ଷ୍ୟ ନେଇ ପିଛା କରୁଥିବା ଶ୍ରୀଲଙ୍କା ଦଳ ଭାରତୀୟ ବୋଲରଙ୍କ ଶାଣିତ ଆକ୍ରମଣ ଆଗରେ ତିଷ୍ଠି ପାରିନଥିଲା। ମାତ୍ର ୯.୫ ଓଭରରେ ଶ୍ରୀଲଙ୍କା ଦଳ ୪୫ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଫଳରେ ଟିମ୍ ଇଣ୍ଡିଆ ଏକତରଫା ଭାବେ ଏହି ମ୍ୟାଚ୍ ଜିତି ଫାଇନାଲରେ ପହଞ୍ଚିଛି।