ନୂଆଦିଲ୍ଲୀ ପହଞ୍ଚି ପ୍ରଥମେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ, କାଲି ଭରିବେ ନାମାଙ୍କନ

ଆଜି ନୂଆଦିଲ୍ଲୀ ପହଞ୍ଚି ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଦ୍ରୌପଦୀ ମୁର୍ମୁ I ରାଷ୍ଟ୍ରପତି ନିର୍ବାଚନ ସହ ଅନେକ ଗୁଡିଏ ପ୍ରସଙ୍ଗରେ ଆଲୋଚନା ହୋଇଛି । ଏନେଇ ଉଭୟଙ୍କ ଭେଟଘାଟର ଫଟୋ ପ୍ରଧାନମନମନ୍ତ୍ରୀ ମୋଦି ଟ୍ୱିଟ କରିଛନ୍ତି। ମୋଦି ଲେଖିଛନ୍ତି ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱକୁ ସମଗ୍ର ଦେଶରେ ସମର୍ଥନ ମିଳୁଛି। ବିଶେଷକରି ମୁଁ ତାଙ୍କ ପ୍ରାର୍ଥିତ୍ୱରେ ବେଶ୍ ଖୁସି ।ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଏନଡିଏ ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀ I

ପ୍ରଧାନମନ୍ତ୍ରୀ ଙ୍କ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟିଛନ୍ତି ଦ୍ରୌପଦୀ ମୁର୍ମୁ । ଆଜି ସନ୍ଧ୍ୟା ୫ଟାରେ ବେଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିବା ବେଳେ ବିଭିନ୍ନ କେନ୍ଦ୍ରୀୟ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ଦିଲ୍ଲୀରେ ଥିବା ବିଜେପି ଏମପି ଜୁଏଲ ଓରାମ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପାଇଁ ପ୍ରାର୍ଥୀ ଘୋଷଣା କରିବା ଓଡ଼ିଶା ପାଇଁ ଏକ ଗର୍ବର ବିଷୟ। ତାଙ୍କର ଏହି ନିଷ୍ପତ୍ତି ପାଇଁ ମୁଁ ତାଙ୍କୁ କୃତଜ୍ଞତା ଜଣାଉଛି।

ଦ୍ରୌପଦୀ ମୁର୍ମୁ ଏନଡିର ପ୍ରାର୍ଥୀ ହୋଇଥିବାରୁ ସେ ନାମାଙ୍କନ ଦାଖଲ କରିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ । ଏଥିସହ ଓଡିଶା ବିଜେପିର ୧୦ରୁ ଅଧିକ ବିଧାୟକ ଉପସ୍ଥିତ ରହିବେ ।

ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି ଆଜି ସମର୍ଥନ ଘୋଷଣା କରିଛି । ସବୁଠାରୁ ବଡ କଥା ହେଉଛି, ଦ୍ରୌପଦୀଙ୍କ ପ୍ରସ୍ତାବଙ୍କ ମଧ୍ୟରୁ ବିଜେଡିର ଦୁଇ ପ୍ରସ୍ତାବକ ରହିବେ । ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଦ୍ରୌପଦୀଙ୍କ ନାମାଙ୍କନ ପତ୍ରରେ ପ୍ରସ୍ତାବକ ଭାବେ ଦସ୍ତଖତ କରିବେ । ଏହି ଦୁଇ ମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ସହ ଦିଲ୍ଲୀ ଯାଇଛନ୍ତି । ଏଥିସହ ଓଡ଼ିଶାର ସମସ୍ତ ବିଧାୟକ ଦ୍ରୌପଦୀଙ୍କୁ ଭୋଟ୍‌ ଦେବାକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି ।

ସୂଚନା ଅନୁସାରେ ଆସନ୍ତI ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ପଦ ପାଇଁ ମତଦାନ ହେବାକୁ ଥିବାବେଳେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ ତାରିଖରେ ଶେଷ ହେବ।

ଦ୍ରୌପଦୀଙ୍କୁ ଏନଡିଏ ପ୍ରାର୍ଥୀ ଘୋଷଣା କରିବା ପରଠାରୁ ଆରମ୍ଭ ହୋଇଛିି, ଶ୍ରେୟ ରାଜନୀତି । ଦ୍ରୌପଦୀଙ୍କୁ ପ୍ରାର୍ଥୀ କରିବା ପଛରେ କାହାର ହାତ ଅଛି ସେ ନେଇ ବୟାନବାଜି ବି ଚାଲିଛି ।
ତେବେ ରାଜନୀତି ଯାହା ବି ହେଉ, ଦ୍ରୌପଦୀଙ୍କୁ ପ୍ରାର୍ଥୀ କରି ଏକ ବଡ ସନ୍ଦେଶ ଦେଇଛି ଏନଡିଏ । ଆଦିବାସୀ ଓ ମହିଳାଙ୍କ ସଶକ୍ତିକରଣ କ୍ଷେତ୍ରରେ, ଏହା ଏକ ବଡ ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି ଏବଂ ଏହି ନିଷ୍ପତ୍ତି ଅନେକ ବିରୋଧୀଙ୍କୁ ମଧ୍ୟ ଦ୍ୱନ୍ଦ୍ୱରେ ପକାଇ ଦେଇଛି ।