ଖାତରେ ଖସିଲା ଆର୍ମି ଟ୍ରକ୍‌, ତିନି ଅଧିକାରୀଙ୍କ ସମେତ ୧୬ ଯବାନ ମୃତ

ନୂଆଦିଲ୍ଲୀ: ଉତ୍ତର ସିକ୍କିମ୍‌ର ଜେମାରେ ଶୁକ୍ରବାର ଆର୍ମିର ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଭୟଙ୍କର ଦୁର୍ଘଟଣାରେ ଆର୍ମିର ତିନିଜଣ ଜୁନିୟର୍ କମିଶନ୍‌ଡ ଅଫିସର୍‌ଙ୍କ ସମେତ ୧୬ ଯବାନଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାଗ୍ରସ୍ତ ବାହନଟି ସେନାର ଅନ୍ୟ ଦୁଇଟି ବାହନ ସହ ସକାଳେ ଚଟନ୍‌ରୁ ଥଙ୍ଗୁ ଉଦ୍ଦେଶ୍ୟରେ ବାହାରିଥିଲେ । ଘାଟି ରାସ୍ତାରେ ଯାଉଥିବା ବେଳେ ଯାଉଥିବା ବେଳେ ଏକ କାଟେଣୀରେ ଥିବା ସ୍ଲୋପ୍‌ରେ ଖସିଯାଇ ସିଧା ଖାଇରେ ପଡ଼ିଥିଲା । ଦୁର୍ଘଟଣାର ତୁରନ୍ତ ପରେ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇ ଚାରିଜଣ ଗୁରୁତର ଆହତ ଯବାନଙ୍କୁ ଆକାଶ ମାର୍ଗରେ ବାହାର କରାଯାଇଥିବା ସେନା ପକ୍ଷରୁ କୁହାଯାଇଛି । ସେମାନଙ୍କ ସେନା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଭାରତୀୟ ସେନା ପକ୍ଷରୁ ମୃତ ଯବାନଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମ୍ବେଦନା ବ୍ୟକ୍ତ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଦୁଃଖପ୍ରକାଶ ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ପ୍ରାଣ ହରାଇଥିôବା ଯବାନଙ୍କ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡ୍‌ରୁ ଦୁଇ-ଦୁଇ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଲେଖାଏଁ ଟଙ୍କା ପ୍ରଦାନ ପାଇଁ ଘୋଷଣା କରିଛନ୍ତି । ଯବାନଙ୍କ ମୃତ୍ୟୁରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗଭୀର ଦୁଃଖବ୍ୟକ୍ତ କରିଛନ୍ତି । ଟ୍ୱିଟ୍‌କରି ସେ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହିତ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

Army truck fell into ditch