ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଗିରଫ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଗିରଫ ଘଟଣାରେ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ । ଅର୍ଚ୍ଚନାଙ୍କ ଗିରଫର ୧୬ ଦିନ ପରେ ଜଗବନ୍ଧୁଙ୍କୁ ଗିରଫ କରାଯାଇଛି । ଜଗବନ୍ଧୁଙ୍କ ନାଁରେ ଲାଗିଛି ୧୬ଟି ସଂଗୀନ ଦଫା । ସ୍ତ୍ରୀଙ୍କ ସହ ମିଶି ଅପରାଧିକ ଷଡ଼ଯନ୍ତ୍ର ଓ ବ୍ଲାକମେଲିଂ ଅଭିଯୋଗର ଠୋସ ପ୍ରମାଣ ମିଳିବା ପରେ ପୁଲିସ ତାଙ୍କୁ ଗିରଫ କରିଛି । ଏବେ ଅର୍ଚ୍ଚନା ବି ଜେଲରେ ଅଛନ୍ତି । ଶୁକ୍ରବାର ଭୋରୁ ଜଗବନ୍ଧୁଙ୍କୁ ତାଙ୍କ ଘରୁ ପୁଲିସ ଗିରଫ କରିବା ପରେ ଖଣ୍ଡଗିରି ଥାନାକୁ ଆଣିଥିଲା । ସେଠାରେ ତାଙ୍କୁ ପଚରାଉଚରା କରିବା ପରେ ଡାକ୍ତରୀ ପରୀକ୍ଷା କରାଯାଇଥିଲା । ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ତାଙ୍କର ଜାମିନ୍ ଖାରଜ ହେବା ପରେ ଝାରପଡ଼ା ଜେଲ୍‌କୁ ୧୪ ଦିନ ପାଇଁ ପଠାଇ ଦିଆଯାଇଛି । ତେବେ ତାଙ୍କ ସହଯୋଗୀ ଖଗେଶ୍ୱରଙ୍କର ପତ୍ତା ମିଳୁନି । ଥାନାରୁ କୋର୍ଟ ଯିବା ସମୟରେ ଜଗବନ୍ଧୁଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ପଚାରିଥିଲେ ମଧ୍ୟ ସେ ପାଟି ଖୋଲିନଥିଲେ । ଜଗବନ୍ଧୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ଗଳା ଅପରେଶନ ଦର୍ଶାଇ କୋର୍ଟରେ ଆଗୁଆ ଜାମିନ ପାଇବାକୁ ଉଦ୍ୟମ କରିଥିଲେ । ପୂର୍ବରୁ ପ୍ରାଥମିକ ପଚରାଉଚରା ପରେ ଜଗବନ୍ଧୁଙ୍କୁ ଛାଡ଼ି ଦିଆଯାଇଥିଲା । ଏକ ଅଣ୍ଡରଟେକିଂ ଲେଖି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଛାଡ଼ିଥିଲା ପୁଲିସ । ଆଜି ଦ୍ୱିତୀୟ ଥର ପାଇଁ ପଚରାଉଚରା କରିବା ପରେ ଗିରଫ କରିଥିଲା ପୁଲିସ । ଏହାର ସ୍ପଷ୍ଟ ପ୍ରମାଣ ମିଳିବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା । ତାଙ୍କ ନିକଟରୁ ପୁଲିସ ଏକ ଲାପ୍‌ଟପ, ୪ଟି ମୋବାଇଲ୍ ଫୋନ୍‌, ଟ୍ୟାବ୍ ଏବଂ ଡାଏରୀ ଜବତ କରିଛି । ଜବତ ଡାଏରୀରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଥିବା ପୁଲିସ ସନ୍ଦେହ କରୁଛି । କେଉଁ ମାନଙ୍କ ଠାରୁ ଏବଂ ଜଗବନ୍ଧୁ ବ୍ଲାକ୍‌ମେଲିଂ କରି ଟଙ୍କା ଆଦାୟ କଲେ ତାହାର ତାଲିକା ରହିଥିବା ଜଣାପଡ଼ିଛି । ତେଣୁ ଏହି ଡାଏରୀ ସ୍ୱାମୀ, ସ୍ତ୍ରୀଙ୍କ ଗୁମର ଖୋଲିବ ବୋଲି କୁହାଯାଉଛି ।
ଅନ୍ୟପଟେ ଜାପନ ଓ ଚିନ ପର୍ଯ୍ୟନ୍ତ ଲମ୍ବିଛି ହନିଟ୍ରାପର ଚେର । ହ୍ୱାଟ୍ସଆପରେ ଗ୍ରୁପ୍ କରି ସେଥିରେ ଚାଟିଂ କରୁଥିଲେ ଜଗବନ୍ଧୁ । ସେ ଯେଉଁ ଗ୍ରୁପରେ ଥିଲେ ତା’ର ଆଡମିନ୍ ବା ମୁଖ୍ୟ ଥିଲା ଜାପାନର ଜିଓଙ୍ଗ । ପ୍ରାଥମିକ ତଦନ୍ତରୁ ଜିଓଙ୍ଗ ଜାପାନର ଅଧିବାସୀ ବୋଲି ଜଣାପଡ଼ିଛି । ବହୁ ଯୁବତୀ ବା ରୂପଜୀବୀଙ୍କ ଅର୍ଦ୍ଧନଗ୍ନ ଫଟୋରେ ନମ୍ବର ଦିଆଯାଇ ଲୋକଙ୍କୁ ଉକ୍ତ ଆକାଉଣ୍ଟ୍ ପ୍ରତି ଆକର୍ଷିତ କରାଯାଉଥିଲା । ଏହାକୁ ମାଧ୍ୟମ କରି ସେ ଚୀନ୍ ଓ ଜାପାନର ନିର୍ଦ୍ଦିଷ୍ଟ କିଛି ଅନଲାଇନ୍‌ରେ ଜୁଆ ଗେମ୍ ମଧ୍ୟ ଖେଳୁଥିଲା । ୨୦୧୫ ମସିହା ବେଳକୁ ସେ ଅନଲାଇନ୍ ସଫ୍ଟୱେର୍ ଡେଭେଲପର୍ ନାଁରେ ଆକାଉଣ୍ଟ ଖୋଲିଥିଲା । ଉକ୍ତ ଆକାଉଣ୍ଟ୍ ଜରିଆରେ ସେ ଜାପାନର କିଛି ରୂପଜୀବୀଙ୍କ ସହ ଯୋଡ଼ି ହୋଇଥିଲା । ସେମାନଙ୍କ ସହିତ ଗେମ୍ ଖେଳିବାକୁ ଜଗବନ୍ଧୁ ନିୟମିତ ଯୋଗାଯୋଗରେ ରହୁଥିଲା । ତେବେ ଅନ୍ଲାଇନ୍ ଜୁଆ ଓ ରୂପଜୀବୀଙ୍କ ବାବଦରେ ଯେମିତି କିଛି ତଥ୍ୟ ପଦାକୁ ନ ଆସିବ, ସେଥିପାଇଁ ଉଭୟ ଜଗବନ୍ଧୁ ଓ ଅର୍ଚ୍ଚନା ସାମାଜିକ ଗଣମାଧ୍ୟମରେ ପ୍ରାୟ ୨୦ରୁ ଅଧିକ ଆକାଉଣ୍ଟ ଖୋଲିଥିଲେ ।
ଏନେଇ ଡିସିପି ପ୍ରତୀକ ସିଂ କହିଛନ୍ତି ଯେ ଆମେ ଅର୍ଚ୍ଚନା ନାଗଙ୍କ ଆର୍ଥିକ କାରବାର ସମ୍ପର୍କରେ ତଦନ୍ତ କରୁଥିଲୁ । ପୂର୍ବରୁ ମଧ୍ୟ ପୁଲିସ ଜଗବନ୍ଧୁ ଘରୁକୁ ଯାଇ ସେଠାରେ ପଚରା ଉଚରା କରିଥିଲା । ହେଲେ ପ୍ରାଥମିକ ପଚରାଉଚରା ପରେ ଜଗବନ୍ଧୁଙ୍କୁ ଏକ ଅଣ୍ଡରଟେକିଂ ଲେଖି ଛାଡ଼ି ଦିଆଯାଇଥିଲା । କିନ୍ତୁ ଆଜି ଦ୍ୱିତୀୟ ଥର ପାଇଁ ପଚରା ଉଚରା ପରେ ତାଙ୍କୁ ଗିରଫ କରାଯାଇଛି । ପୀଡିତାଙ୍କୁ ବାଡେଇବା, ତାଙ୍କୁ ନିଶା ଦେଇ ଅଶ୍ଲୀଳ ଫଟୋ ସୁଟ କରି ଭାଇରାଲ ଧମକ ଦେବା ଅଭିଯୋଗର ଆନାଲିସିସ୍ କରୁଥିଲୁ । ଏଥିସହ ପୀଡ଼ିତାଙ୍କର କୋର୍ଟରେ ୧୬୪ରେ ବୟାନ୍ ରେକର୍ଡ କରାଯାଇଛି । ତଦନ୍ତରୁ ଜଗବନ୍ଧୁଙ୍କ ସଂପୃକ୍ତି ଆସିବା ପରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ତାଙ୍କ ଠାରୁ ଏକ ଲାପଟପ୍‌, ୪ଟି ମୋବାଇଲ ଓ ଏକ ଡ଼ାଏରୀ ଜବତ କରାଯାଇଛି । ଏହି ଡାଏରୀରୁ ବହୁ ତଥ୍ୟ ମିଳିବାର ଆଶା ରଖିଛି କମିଶନରେଟ୍ ପୁଲିସ । ଦରକାର ପଡ଼ିଲେ ୨ ଜଣଙ୍କୁ ରିମାଣ୍ଡରେ ଅଣାଯାଇପାରେ ଓ ଏହି ଡାଏରୀରୁ ଜାହାର ସଂପୃକ୍ତି ରହିଥିବ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡ଼ିସିପି ସୂଚନା ଦେଇଛନ୍ତି ।