ଇଡିରେ ଅର୍ଚ୍ଚନା ମାମଲା: ହାଜର ହେଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା ଓରଫ ଶ୍ରଦ୍ଧା । ଶ୍ରଦ୍ଧାକୁ ଇଡି ଅଧିକାରୀମାନେ ଆଜି ଦ୍ୱିତୀୟ ଥର ଲାଗି ପଚରାଉଚରା କରିଛନ୍ତି । ଅର୍ଚ୍ଚନା ମନିଲଣ୍ଡ୍ରିଂ ଏବଂ କ୍ରାଇମ୍ ସିଣ୍ଢିକେଟ୍ ସମ୍ପର୍କରେ ତାଙ୍କୁ ପଚରାଉଚରା କରାଯାଇଥିଲା । ଇଡିର ତଦନ୍ତ ଏବେ ଅର୍ଚ୍ଚନା ଏବଂ ଏହାର ଚତୁଃପାଶ୍ୱର୍ରେ ହିଁ ଘୁରୁଛି । ସିଧାସଳଖ ଅର୍ଚ୍ଚନା ଲିଙ୍କରେ ଥିବା ବ୍ୟକ୍ତି ବିଶେଷଙ୍କୁ ଇଡି କାର୍ଯ୍ୟାଳୟକୁ ଡକାଯାଉଛି । ଏମାନଙ୍କ ଠାରୁ ତଥ୍ୟ ସଂଗ୍ରହପରେ ଇଡି ଜାଲରେ ପଡି ପାରନ୍ତି ବଡ ମାଛ । କାରଣ ଅର୍ଚ୍ଚନାଙ୍କ କାରବାର ବହୁ ବଡବଡିଆଙ୍କ ସହ ରହିଥିଲା । ଯେଉଁଥିରେ ରାଜନେତା,ବଡ ବ୍ୟବସାୟୀ, ହୋଟେଲିୟରସ୍ ଏବଂ ଅନ୍ୟମାନେ ରହିଛନ୍ତି । ପ୍ରଥମେ ଶ୍ରଦ୍ଧା ଏବଂ ପରେ ତାଙ୍କ ଡ୍ରାଇଭର ଚନ୍ଦନଙ୍କୁ ପଚରାଉଚରା କରାଯାଉଛି । ତେବେ ଅର୍ଚ୍ଚନାଙ୍କ ଡ୍ରାଇଭର ହିଁ ଏବେ ଏହି କଳା ସାମ୍ରାଜ୍ୟର ମୁକସାକ୍ଷୀ । ସେ ଅର୍ଚ୍ଚନାଙ୍କ ଗୁମର ଖୋଲିପାରିବେ । ତାଙ୍କ ଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରେ ବୋଲି ଇଡି ଆଶା ବାନ୍ଧିଛି । ଇଡି ଅଧିକାରୀମାନେ ଆଜି ଡ୍ରାଇଭରକୁ ଗୁରେଇ ତୁରେଇ ବିଭିନ୍ନ ବିଷୟ ଉପରେ ପ୍ରଶ୍ନ କରିଥିବା ଜଣାପଡିଛି । ଯେପରିକି ଅର୍ଚ୍ଚନାଙ୍କ ପାଖରେ ଡ୍ରାଇଭର ଚନ୍ଦନ କେତେଦିନ ହେବ କାମ କଲେଣି । ସେ ଅର୍ଚ୍ଚନା ଲିଙ୍କରେ କାହାକୁ ସବୁ ଜାଣିଛନ୍ତି । ଶ୍ରଦ୍ଧାଞ୍ଜଳୀଙ୍କୁ ଜାଣିଛନ୍ତି କି ନାହିଁ । ଅର୍ଚ୍ଚନା କାହା ପାଖକୁ ସବୁ ଯାଉଥିଲେ । ଅର୍ଚ୍ଚନା କେଉଁଠି କୌଣସିି ଗୁପ୍ତ ସିନ୍ଧୁକ ଲୁଚାଇ ରଖିଛନ୍ତି କି । ଯାହାକୁ ଡ୍ରାଇଭର କାଳେ ଜାଣିଥିବେ । ତେବେ ଅର୍ଚ୍ଚନାଙ୍କ ଦାମୀ ଗାଡି ସମ୍ପର୍କରେ ମଧ୍ୟ ତାଙ୍କୁ ପ୍ରଶ୍ନ କରାଯାଇଥିଲା । ସେହିପରି କିଛି ଡିଲ୍ ଗାଡିରେ ହୋଇଥିବା ଜଣାପଡିଛି । ଯେହେତୁ ଅଧିକାଂଶ କାରବାର କ୍ୟାସ୍ ଆକାରରେ ହେଉଥିଲା ଏହି କ୍ୟାସ ଆଣିବାକୁ ଦାମୀ ଗାଡି ବ୍ୟବହାର କରାଯାଉଥିଲା । ତେବେ ଅର୍ଚ୍ଚନାଙ୍କ ଡିଲ୍ କରୁଥିବା କ୍ୟାସ କିଏ ଆଣିବାକୁ ଯାଏ । ଅନୈତିକ ଉପାୟରେ ଗ୍ରହଣ କରାଯାଉଥିବା ବିଡା ବିଡା କେଉଁଠୁ ଆସେ । ଏହି ଟଙ୍କା ସବୁ ଆସିବା ପରେ କୁଆଡେ ଯାଏ, କାହା ପାଖରେ ରୁହେ ତାହା ଇଡି ଜାଣିବାକୁ ଚାହୁଁଛି । ଅନ୍ୟ ପକ୍ଷରେ ଅର୍ଚ୍ଚନା ରାଜ୍ୟ ବାହାରର ଯୁବତୀଙ୍କୁ ଏଭଳି କାର୍ଯ୍ୟରେ ବ୍ୟବହାର କରୁଥିବା ନେଇ ଚର୍ଚ୍ଚା ହେଉଛି । ହାଇ ପ୍ରୋଫାଇଲ ଯୁବତୀମାନେ ଦାମୀ ଗାଡି ଡିମାଣ୍ଡ କରନ୍ତି । ଚନ୍ଦନ ସେମାନଙ୍କୁ ନବା ଆଣିବା କରିବା ସହ ଠିକଣାସ୍ଥାନରେ ଛାଡିଥାଏ । ବହୁଦିନ ହେବ ଇଡିକୁ ଏଭଳି ଖବର ମିଳିଲାଣି । ଏଥିପାଇଁ ବୋଧହୁଏ ଇଡି ଟାର୍ଗେଟରେ ଅର୍ଚ୍ଚନାଙ୍କ ଦାମୀ ଗାଡି । ପୋଲିସ ଗାଡି ଜବତ କରି ନ ଥିଲେ ମଧ୍ୟ ଇଡି ପ୍ରଥମ ଦିନରୁ ହିଁ ଗାଡି ପଛରେ ପଡିଛି । ପ୍ରଥମେ ଥାର୍ ଜବତ କରିଥିଲା । ପରେ ଏଣ୍ଡେଭର । ସେକେଣ୍ଡ ହ୍ୟାଣ୍ଡ ଗାଡି ସୋରୁମ୍ ସୁପ୍ରିମ୍ ଅଟୋର ମାଲିକ ତଥା ବିଜେନେସ୍ ପାର୍ଟନର ଖଗେଶ୍ୱରଙ୍କୁ ଗିରଫ କଲା । ପରେ ଗୋଟିଏ ପରେ ଗୋଟିଏ ଦାମୀ ଗାଡି କିଣାଯାଇଥିବା ସୋରମ୍ ମାଲିକଙ୍କୁ ହାଜର ହେବାକୁ ନୋଟିସ୍ କରାଗଲା । ଆଜି ଅର୍ଚ୍ଚନା ଗାଡି ଡ୍ରାଇଭର ଚନ୍ଦନକୁ ହାଜର ହେବାକୁ କୁହାଯାଇଥିଲା । ଚନ୍ଦନ ଇଡି ନିକଟରେ ହାଜର ହୋଇ ଏସବୁର ଉତ୍ତର ରଖିଥିବା ବିଶ୍ୱସ୍ଥ ସୂତ୍ରରୁ ଜଣାପଡିଛି । ସେପଟେ ଇଡି କାର୍ଯ୍ୟାଳୟରେ ଆଗାମୀଦିନରେ ବଡଧରଣର ହଲଚଲ ହେବା ନେଇ ସୂଚନା ମିଳୁଛି । ଅଧିକ ପରିମାଣରେ ସିଆର୍‌ପିଏଫ ନିୟୋଜିତ ହେବା ଚର୍ଚ୍ଚା ହେଉଛି ।