୨୨୫୩ କୋଟି ଟଙ୍କାର ୧୧ଟି ପ୍ରକଳ୍ପକୁ ଅନୁମୋଦନ : ପାଇବେ ୩ ହଜାର ୮୧୭ ଜଣ ସିଧାସଳଖ ନିଯୁକ୍ତି

ଭୁବନେଶ୍ୱର : ୦୪-୦୮-(ପି.ଏନ.ଏ) ସିଙ୍ଗଲ ଓ୍ୱିଣ୍ଡୋ ଜରିଆରେ ୧୧ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିସହ ରାଜ୍ୟକୁ ୨୨୫୩ .୧୫କୋଟି ଟଙ୍କାର ୧୧ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏସବୁ ପ୍ରକଳ୍ପରେ ୩ ହଜାର ୮୧୭ ଜଣଙ୍କୁ ମିଳିବ ସିଧାସଳଖ ନିଯୁକ୍ତି ସୁଯୋଗ ।
ଆଜି ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଡିଜିଟାଲ ମୋଡରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ମୋଟ ୧୧ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏସବୁ ପ୍ରକଳ୍ପଗୁଡ଼ିକୁ ନୀତିଗତ ଅନୁମୋଦନ ଦେଇ ସେସବୁର କ୍ଷେତ୍ରସ୍ତରେ କାର୍ଯ୍ୟାନ୍ୱୟନ ଉପରେ ଶ୍ରୀ ମହାପାତ୍ର ଗୁରୁତ୍ୱ ଦେଇଛନ୍ତି । ଯେଉଁ ସବୁ ପ୍ରକଳ୍ପକୁ ଆଜି ବୈଠକରେ ଅନୁମୋଦନ ମିଳିଛି ସେଥିରେ ଫିଡର୍ସ ଇଲେକ୍ଟ୍ରିକ୍ ଆଣ୍ଡ ଇଞ୍ଜିନିୟରିଂ ଲିଃ କମ୍ପାନୀ ୫୩୩.୨୫କୋଟି ଟଙ୍କା ବ୍ୟୟରେ ସୁନ୍ଦରଗଡ଼ରେ ଲୁହାପଥର ବେନିଫିକେସନ୍ କାରଖାନା ସ୍ଥାପନ କରିବ ଓ ଏଥିରେ ୧୦୨୯ଜଣଙ୍କୁ ନିଯୁକ୍ତି ସୁଯୋଗ ଦେବ ।
ଏଥିରେ ସୁନ୍ଦରଗଡ଼ରେ ହେବ ଇସ୍ପାତ ଓ ଫେରୋ ଆଲୟଜ ପ୍ଲାଣ୍ଟ । ୫୫୩.୨୫ କୋଟି ଟଙ୍କା ନିବେଶରେ ହେବ ୨ଟି ପ୍ଲାଣ୍ଟ । ଖୋର୍ଦ୍ଧାରେ ଆଦାନୀ ଏଣ୍ଟରପ୍ରାଇଜ ଲିମିଟେଡ୍‌ କରିବ ଡାଟା ସେଣ୍ଟର । ଏହି ଡାଟା ସେଣ୍ଟରରେ ୫୦୦ କୋଟି ଟଙ୍କା ନିବେଶରେ ୨୦୦ ଜଣଙ୍କୁ ମିଳିବ ନିଯୁକ୍ତି । ସେହିପରି କେନ୍ଦୁଝରରେ ହେବ ଲୁହାଛଡ଼ ତିଆରି କାରଖାନା । ଆର୍ୟ୍ୟ ଆଇରନ୍ ଆଣ୍ଡ ଷ୍ଟିଲ୍ କମ୍ପାନୀ ୧୭୫.୭୫କୋଟି ନିବେଶ କରିବ । କାରଖାନାରେ ୬୦୦ ଜଣଙ୍କୁ ସିଧାସଳଖ ନିଯୁକ୍ତି ମିଳିବ । ଗଞ୍ଜାମରେ ହେବ ଟିଟାନିୟମ ସ୍ଲାଗ ଓ ପିଗ୍ ଆଇରନ୍ କାରଖାନା । ଆରଆରଏଲଟି ପ୍ରାଇଭେଟ୍‌ ଲିମିଟେଟ୍‌ କାରଖାନା ପାଇଁ ୧୫୦ କୋଟି ନିବେଶ କରିବ । କାରଖାନାରେ ୪୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସମ୍ବଲପୁରରେ ୧୦୧ କୋଟି ଟଙ୍କାରେ ହେବ ତରଳ ଆଲୁମିନିୟମ ଆଲୟଜ ପ୍ଲାଣ୍ଟ । ସେହିପରି କଟକ, ଢେଙ୍କାନାଳ, ଯାଜପୁରରେ ମଧ୍ୟ ପୁଞ୍ଜି ନିବେଶ ପାଇଁ ମଞ୍ଜୁରୀ ମିଳିଛି ।