ଦିଲ୍ଲୀ କ୍ୟାପିଟାଲସ ର ଆଉଜଣେ ଖେଳାଳି ହେଲେ କରୋନା ସଂକ୍ରମିତ

ବାୟୋ ବଵଲ ଭେଦ କରି ଆଇପିଏଲ ରେ ପଶିଚି କରୋନା I କରୋନା କବଳରେ ଦିଲ୍ଲୀ କ୍ୟାପିଟାଲସ ର ୫ ସଦସ୍ୟ I ପୁଣି ଆଜିର ମ୍ୟାଚ୍‌ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଜଣେ ଖେଳାଳି ହୋଇଛନ୍ତି କରୋନା ସଂକ୍ରମିତ । ଆଜି ସନ୍ଧ୍ୟା ୭ଟାରେ ଦିଲ୍ଲୀ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀର ଟିମ୍‌ ସେଇଫର୍ଟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
ମଙ୍ଗଳବାର ସେ ଦିଲ୍ଲୀର ଅନ୍ୟ ଖେଳାଳିମାନଙ୍କ ସହ ମିଶି ଅଭ୍ୟାସ କରୁଥିଲେ। ହେଲେ ଆଜି ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ମ୍ୟାଚ୍‌ କେମିତି ଅନୁଷ୍ଠିତ ହେବ, ତା’କୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଣ୍ଟିଜେନ ଟେଷ୍ଟରେ ସେଇଫର୍ଟଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ତେଣୁ ଏବେ ତାଙ୍କର ଆରଟି ପିସିଆର ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଛି। ବିସିସିଆଇ ମ୍ୟାଚ୍‌ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ମେଡିକାଲ ଟିମ୍‌କୁ ପୁଣି ସମସ୍ତ ଖେଳାଳିଙ୍କ କରୋନା ଟେଷ୍ଟ କରିବାକୁ କହିଛି। ଏହାପରେ ହିଁ ଆଜି ପଞ୍ଜାବ ବିପକ୍ଷ ମ୍ୟାଚ୍‌ ଅନୁଷ୍ଠିତ ହେବ କି ନାହିଁ, ତା’ର ନିଷ୍ପତ୍ତି ବିସିସିଆଇ ନେବ।
ଯଦି ଦଳର ଅନ୍ୟ କୌଣସି ଖେଳାଳି କରୋନାରେ ଆକ୍ରାନ୍ତ ହୋଇ ନଥିବେ, ତା’ହେଲେ ଧାର୍ଯ୍ୟ ସୂଚୀ ଅନୁସାରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ଗତ ସଂସ୍କରଣରେ ମଧ୍ୟ ସେଇଫର୍ଟ କରୋନାରେ ଆକ୍ରାନ୍ତ ହୋଇଥିଲେ ଓ ତାଙ୍କୁ ଚେନ୍ନାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଏପ୍ରିଲ ୧୫ରେ ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାମ୍ପରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଦଳର ଫିଜିଓ ପ୍ୟାଟ୍ରିକ ଫରହାର୍ଟଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ଦିଲ୍ଲୀର ସବୁ ଖେଳାଳିଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ଏହି ସମୟରେ ସମସ୍ତଙ୍କର ଟେଷ୍ଟିଂ କରାଯାଇଥିଲେ। ଏହି ସମୟରେ ମିଚେଲ ମାର୍ଶଙ୍କ ସମେତ ଆଉ ୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ି ଥିଲା।