ପ୍ରତିଯୋଗିତାମୂଳକ ପରୀକ୍ଷାରେ ପୁଣି ତ୍ରୁଟି

ଭୁବନେଶ୍ବର: ରାଜ୍ୟ ଲୋକସେବା ଆୟୋଗ (ଓପିଏସସିି) ଏବଂ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ସି) ଭଳି ଦୁଇଟି ବଡ଼ ପରୀକ୍ଷାରେ ତ୍ରୁଟି ସାମନାକୁ ଆସିଛି। ଏଭଳି ତ୍ରୁଟି ନେଇ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ରବିବାର ସିଭିଲ୍ ସର୍ଭିସ୍ ମେନ୍‌-୨୦୨୩ର ଆନ୍ଥ୍ରୋପୋଲୋଜିର ୨ଟି ପେପର୍ ଥିଲା। ପୂର୍ବାହ୍ଣ ୯ଟାରୁ ୧୨ଟା ଯାଏ ଆନ୍ଥ୍ରୋପୋଲୋଜିର ପ୍ରଥମ ପେପର୍ ପରୀକ୍ଷା ଥିଲା। ସେହିପରି ଅପରାହ୍ଣ ୨ଟାରୁ ୫ଟା ଯାଏ ଆନ୍ଥ୍ରୋପୋଲୋଜି ଦ୍ୱିତୀୟ ପେପର୍ ପରୀକ୍ଷା ଥିଲା। ମାତ୍ର ପ୍ରଥମ ପେପର୍ ପରୀକ୍ଷାରେ କିଛି ପ୍ରଶ୍ନ ଦ୍ୱିତୀୟ ପେପର୍‌ରୁ ଆସିଥିଲା। ସେହିପରି ଦ୍ୱିତୀୟ ପେପର୍ ପରୀକ୍ଷାରେ ପ୍ରଥମ ପେପର୍‌ର କିଛି ପ୍ରଶ୍ନ ଆସିଥିବା ଅଭିଯୋଗ ହୋଇଛି। ପ୍ରଥମ ସିଟିଂ ପରୀକ୍ଷା ପରେ ପରୀକ୍ଷାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଓପିଏସ୍‌ସି କର୍ତ୍ତୃପକ୍ଷ ନୋଟିସ୍ ଜରିଆରେ ତ୍ରୁଟି ସ୍ୱୀକାର କରିଛନ୍ତି। ତେବେ ଓପିଏସ୍‌ସି କର୍ତ୍ତୃପକ୍ଷ ପରୀକ୍ଷା ଚାଲୁ ରଖିବାକୁ ନିଷ୍ପତ୍ତି ନେଇଥିଲେ। ଏ ସମ୍ପର୍କରେ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଓପିଏସ୍‌ସି କର୍ତ୍ତୃପକ୍ଷ ଜଣାଇଛନ୍ତି। ପରୀକ୍ଷା ପରେ ଆନ୍ଥ୍ରେପୋଲୋଜି ପରୀକ୍ଷାର୍ଥୀମାନେ ଅସନ୍ତୋଷ ଝାଡ଼ିଛନ୍ତି। ଓପିଏସ୍‌ସିି ଖାମଖିଆଲି ଭାବେ ପରୀକ୍ଷା ପରିଚାଳନା କରୁଛି ବୋଲି କିଛି ପରୀକ୍ଷାର୍ଥୀ କହିଛନ୍ତି। ପେପର୍‌-୧ ପରୀକ୍ଷାରେ ପେପର୍‌-୨ ପ୍ରଶ୍ନ ଦେଖି ଝଟ୍‌କା ଲାଗିଥିଲା ବୋଲି ପରୀକ୍ଷାର୍ଥୀମାନେ କହିଛନ୍ତି। ଯଦିଓ ପେପର୍ -୨ ରେ ପେପର୍‌-୧ର ପ୍ରଶ୍ନ ଆସିଲା, ତାହା ଠିକ୍ ନଥିଲା ବୋଲି ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି। ସେହପରି ଓଡ଼ିଶା ଷ୍ଟାପ୍ ସିଲେକ୍ସନ୍ କମିଶନ ପରୀକ୍ଷାରେ ମଧ୍ୟ ବଡ଼ ତ୍ରୁଟି ଦେଖାଯାଇଛି। ଆଜି ଏକସାଇଜ୍ ଓ ଟ୍ରାଫିକ୍ ଏସ୍‌ଆଇ ପରୀକ୍ଷା ଥିଲା। ମାତ୍ର ସିଜିଏଲ୍‌ରୁ ପ୍ରଶ୍ନ ଆସିଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଥିଲେ। ଏତେ ବଡ଼ ପରୀକ୍ଷାରେ ତ୍ରୁଟିକୁ ନେଇ ପରୀକ୍ଷାର୍ଥୀ ହତାଶ ହୋଇ ପଡ଼ିଥିଲେ। ଏ ନେଇ ଓଡ଼ିଶା ଷ୍ଟାପ୍ ସିଲେକସନ୍ କମିଶନ କର୍ତ୍ତୃପକ୍ଷ ତ୍ରୁଟି ସ୍ୱୀକାର କରିଛନ୍ତି। ଆୟୋଗ ତ୍ରୁଟିକୁ ସ୍ୱୀକାର କରି ଦୁଃଖ ପ୍ରକାଶ କରିଛନ୍ତି। ଆଉ ଏକ ପରୀକ୍ଷାର ବିକଳ୍ପ ଉପରେ ବିଚାର କରୁଥିବା ଜଣାଇଛନ୍ତି। ଆସନ୍ତା ମେ’ ୪ ତାରିଖ ମଧ୍ୟରେ ପରାମର୍ଶ ଲୋଡ଼ି ନୋଟିସ୍ କରିଛନ୍ତି। ସୂଚନାଯୋଗ୍ୟ, ଗତ ମାସ ୩୦ ତାରିଖ ଦିନ ଓପିଏସ୍‌ସି ଦ୍ୱାରା ପରିଚାଳିତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଏଡିଆଇପିଆର୍‌ଓ) ପରୀକ୍ଷା ଥିଲା। ସାମ୍ବାଦିକତା ଓ ଜନସଞ୍ଚାର ପରୀକ୍ଷା ଅପରାହ୍ଣ ୧.୩୦ରୁ ୩.୩୦ ଭିତରେ ଥିଲା। ସେହି ପରୀକ୍ଷାରେ ୧୦୦ନମ୍ବର ପ୍ରଶ୍ନ ବଦଳରେ ୯୪ ପ୍ରଶ୍ନ ଆସିଥିଲା।