ଭାରତୀୟଙ୍କୁ ପୁଣି ପରାମର୍ଶ, ଶୀଘ୍ର ୟୁକ୍ରେନ୍ ଛାଡ଼

ନୂଆଦିଲ୍ଲୀ: ଖୁବଶୀଘ୍ର ୟୁକ୍ରେନ୍ ଛାଡିବାକୁ କିଏଭ୍‌ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସେଠାରେ ବସବାସ କରୁଥିବା ଭାରତୀୟ ନାଗରିକଙ୍କୁ ସାନି ପରାମର୍ଶ ଦିଆଯାଇଛି । ଗତ ସପ୍ତାହରେ ଦୂତାବାସ ପକ୍ଷରୁ ଏଭଳି ନିର୍ଦ୍ଦେଶାବଳୀ ଜାରି କରାଯାଇଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ଅଧିକାଂଶ ଭାରତୀୟ ଏପର୍ଯ୍ୟନ୍ତ ୟୁକ୍ରେନ୍ ଛାଡିନାହାନ୍ତି । ତେଣୁ ଦ୍ୱିତୀୟ ଥର ସେମାନଙ୍କୁ ୟୁକ୍ରେନ୍ ଛାଡିବାକୁ ପୁଣି ପରାମର୍ଶ ଦିଆଯାଇଥିବା କୁହାଯାଇଛି । ଇତିମଧ୍ୟରେ ରୁଷ୍ ପକ୍ଷରୁ ୟୁକ୍ରେନ୍ ରାଜଧାନୀ କିଏଭ୍ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସହର ଉପରେ ଅହରାତ୍ର ବୋମା ଓ କ୍ଷେପଣାସ୍ତ୍ର ମାଡ କରାଯାଉଥିବାରୁ ଭାରତୀୟଙ୍କ ସୁରକ୍ଷା ନେଇ ଦୂତାବାସ କର୍ତ୍ତୃପକ୍ଷ ଚିନ୍ତିତ ହୋଇପଡିଛନ୍ତି । ସୂଚନାଯୋଗ୍ୟ ଚଳିତବର୍ଷ ଫେବୃଆରୀ ୨୪ରେ ରୁଷ୍ ପକ୍ଷରୁ ଆକ୍ରମଣ ଆରମ୍ଭ ହେବାପରେ ୟୁକ୍ରେନ୍ ତାହାର ଆକାଶପଥକୁ ସିଲ୍ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଭାରତ ସରକାର ୟୁକ୍ରେନ୍‌ର ପଡୋଶୀ ରାଷ୍ଟ୍ର ପୋଲାଣ୍ଡ, ହଙ୍ଗେରୀ, ରୋମାନିଆ ସୀମାନ୍ତ ଦେଇ ଭାରତୀୟଙ୍କୁ ସ୍ୱତନ୍ତ୍ର ବିମାନରେ ସ୍ୱଦେଶ ଫେରାଇ ଆଣିଥିଲା । ଏପରିକି କିଏଭ୍‌ରେ ଥିବା ଭାରତୀୟ ଦୂତାବାସକୁ ସାମୟିକଭାବେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ରୁଷ୍ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ ବୁଧବାର ସେମାନଙ୍କ କବ୍‌ଜାରେ ଥିବା ୟୁକ୍ରେନ୍‌ର ଚାରିଟି ପ୍ରଦେଶରେ ସାମରିକ ଆଇନ ଲାଗୁ କରିଛନ୍ତି । ରୁଷ୍ ଜାତୀୟ ଟେଲିଭିଜନରେ ପୁଟିନ୍‌ଙ୍କ ନିର୍ଦ୍ଦେଶନାମା ପ୍ରସାରିତ ହେବାପରେ ୟୁକ୍ରେନ୍‌ର ଖେରସନ୍ ସହରରେ ଥିବା ନାଗରିକମାନେ ବୋଟ୍ ଯୋଗେ ଡିନିପ୍ରୋ ନଦୀ ପାରହୋଇ ଅନ୍ୟତ୍ର ପଳାୟନ କରିଥିବା ଲକ୍ଷ୍ୟ କରାଯାଇଛି । କିଛିଦିନ ପୂର୍ବେ ୟୁକ୍ରେନ୍ ସେନା ଏହି ଅଞ୍ଚଳରୁ ରୁଷ୍ ସେନାକୁ ପଛକୁ ହଟାଇବାରେ ସକ୍ଷମ ହୋଇଥିଲା । ତେବେ ସାନି ଆକ୍ରମଣ ପରେ ଏହି ଅଞ୍ଚଳ ପୁଣି ରୁଷ୍ ନିୟନ୍ତ୍ରଣକୁ ଆସିଛି । ଅପରପକ୍ଷରେ ରୁଷ୍ ପକ୍ଷରୁ ଜାରି କରାଯାଇଥିବା ସାମରିକ ଆଇନକୁ ୟୁକ୍ରେନ୍ ପ୍ରତ୍ୟାଖ୍ୟାନ କରିଛି । ଏହି ଚାରିଟି ଅଞ୍ଚଳ ଏବେମଧ୍ୟ ସେମାନଙ୍କ ନିୟନ୍ତ୍ରଣରେ ରହିଛି ବୋଲି ୟୁକ୍ରେନ୍ ଦାବି କରିଛି । ଚଳିତମାସ ପ୍ରାରମ୍ଭରେ ୟୁକ୍ରେନ୍ ସେନା କ୍ରିମିଆରେ ନିର୍ମିତ ଏକ ପୋଲକୁ ବୋମାମାଡରେ ଧ୍ୱଂସ କରିବାପରେ ରୁଷ୍ ଅଧିକ ଆକ୍ରମକ ହୋଇପଡିଥିଲା । ଏହାର ଦୁଇଦିନ ବ୍ୟବଧାନରେ ରୁଷ୍ ପକ୍ଷରୁ ଗୋଟିଏ ଦିନରେ ୟୁକ୍ରେନ୍ ରାଜଧାନୀ କିଏଭ ସମେତ ଆଠଟି ସହରରେ ଗୋଟିଏ ଦିନରେ ୮୪ଟି କ୍ଷେପଣାସ୍ତ୍ର ମାଡ କରାଯାଇଥିଲା । ଏହି ପ୍ରଚଣ୍ଡ ଆକ୍ରମଣରେ ୟୁକ୍ରେନ୍ ସହରଗୁଡିକରେ ପ୍ରଭୂତ କ୍ଷୟକ୍ଷତି ଘଟିଥିଲା ।

Another advice to Indians