ୟୁକ୍ରେନ ର ଖାରକିଭରୁ ଆଉ ୬୫ ଜଣ ଓଡ଼ିଆ ଛାତ୍ର ଫେରିଲେ :ବର୍ତ୍ତମାନ ସୁଦ୍ଧା ୧୯୯ ଜଣ ଉଦ୍ଧାର

ଯୁଦ୍ଧ ଅଞ୍ଚଳ ଖାରକିଭ୍ ଓ ପେସୋଚିନରେ ବର୍ତ୍ତମାନ ସୁଦ୍ଧା ଫସି ରହିଯାଇଥିବା ଆହୁରି ଅନେକ ଓଡିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ତାଙ୍କର ଉଦ୍ୟମକୁ ଜୋରଦାର କରିଛନ୍ତି। ଖାରକିଭ୍ ଓ ପିସୋଚିନ୍ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀ ଗତ ତିନି ଦିନ ଧରି ଅଟକି ରହି ଭୀଷଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୬୫ଜଣଙ୍କୁ ରାଜ୍ୟ ସରକାର ଦୁଇଟି ସ୍ୱତନ୍ତ୍ର ବସ୍ ଯୋଗେ ନିରାପଦ ଭାବେ ପଶ୍ଚିମ ୟୁକ୍ରେନ ସୀମାକୁ ଆଣିବା ପାଇଁ ସଫଳ ହୋଇଛନ୍ତି । ସେ ଅଞ୍ଚଳରେ ଥିବା ସବୁ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ବିମାନ ଯୋଗେ ଭାରତକୁ ଆଣିବା ପାଇଁ ପ୍ରକ୍ରିୟା ଜାରି ରହିଛି।
ତେବେ ଏପର୍ଯ୍ୟନ୍ତ ୧୯୯ ଛାତ୍ରଛାତ୍ରୀ ନିରାପଦରେ ଭାରତରେ ପହଞ୍ଚି ସାରିଛନ୍ତି । ସବୁ ଓଡ଼ିଆ ପିଲାଙ୍କୁ ନିରାପଦ ଭାବରେ ଉଦ୍ଧାର କରିବା ପାଇଁ ଓଡ଼ିଶା ସରକାର ଉଦ୍ୟମ ଜାରି ରଖିଛନ୍ତି । ନୂଆଦିଲ୍ଲୀ ସ୍ଥିତ ରେସିଡେଣ୍ଟ କମିସନ ଅଫିସ ଉଦ୍ଧାର କାର୍ଯ୍ୟରେ ସମନ୍ୱୟ ରକ୍ଷା କରୁଛନ୍ତି । ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ୟୁକ୍ରେନ ସୀମା ସଂଲଗ୍ନ ୪ଟି ଦେଶ ପାଇଁ ୪ ଜଣ ସ୍ବତନ୍ତ୍ର ପ୍ରତିନିଧିଙ୍କୁ ସମନ୍ବୟ ରଖିବା ପାଇଁ ଦାୟିତ୍ବ ଦେଇଛନ୍ତି ।