ମୁମ୍ବାଇ: କାନାରା ବ୍ୟାଙ୍କ ପକ୍ଷରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି ଉଦ୍ୟୋଗପତି ଅନିଲ ଅମ୍ବାନୀଙ୍କୁ । ବ୍ୟାଙ୍କ ଗୁରୁବାର ଦିନ ବମ୍ବେ ହାଇକୋର୍ଟକୁ ସୂଚନା ଦେଇଛି ଯେ, ଅନିଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ କମ୍ୟୁନିକେସନ୍ସ (ଆରକମ୍) ସହ ଜଡ଼ିତ ଋଣ ଖାତାକୁ ‘ଠକେଇ’ ବୋଲି ଘୋଷଣା କରିଥିବା ନିଷ୍ପତ୍ତିକୁ ସେ ପ୍ରତ୍ୟାହାର କରିନେଇଛି। ଏହା ପରେ ଜଷ୍ଟିସ ରେବତୀ ମୋହିତେ ଡେରେ ଏବଂ ଜଷ୍ଟିସ ନୀଲା ଗୋଖଲେଙ୍କ ଡିଭିଜନ ବେଞ୍ଚ ଅମ୍ବାନୀଙ୍କ ଦାୟର କରିଥିବା ଆବେଦନକୁ ନିଷ୍ପତ୍ତି କରି କହିଛନ୍ତି ଯେ, ଏହି ମାମଲାରେ ଆଉ କିଛି ବାକି ନାହିଁ। କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏହି ପ୍ରତ୍ୟାହାର ନିଷ୍ପତ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)କୁ ଜଣାଇ ଦିଆଯାଉ।
ଏହି ଋଣ ଖାତା ୨୦୧୭ରେ କାନାରା ବ୍ୟାଙ୍କ ପକ୍ଷରୁ ରିଲାଏନ୍ସ କମ୍ୟୁନିକେସନ୍ସ ଏବଂ ତା’ର ଏକ ସହାୟକ କମ୍ପାନୀକୁ ପ୍ରଦାନ କରାଯାଇଥିବା ୧,୦୫୦ କୋଟି ଟଙ୍କାର ଋଣ ସହ ଜଡ଼ିତ। ବ୍ୟାଙ୍କ ଅଭିଯୋଗ କରିଥିଲା ଯେ, ଏହି ଋଣର ଅର୍ଥ ମୂଳ ଉଦ୍ଦେଶ୍ୟ ଅନୁଯାୟୀ ବ୍ୟବହାର ନ ହୋଇ ଅନ୍ୟ ଗ୍ରୁପ କମ୍ପାନୀକୁ ପରିଶୋଧ ପାଇଁ ସ୍ଥାନାନ୍ତର କରାଯାଇଥିଲା। ୨୦୨୪ ନଭେମ୍ବର ୮ରେ ବ୍ୟାଙ୍କ ଏହି ଖାତାକୁ ‘ଠକେଇ’ ବୋଲି ଘୋଷଣା କରିଥିଲା, କିନ୍ତୁ ଅମ୍ବାନୀ ଏହାକୁ ଚ୍ୟାଲେଞ୍ଜ କରି କୋର୍ଟରେ ମାମଲା ରୁଜୁ କରିଥିଲେ। ଅମ୍ବାନୀ ତାଙ୍କ ଆବେଦନରେ ଦାବି କରିଥିଲେ ଯେ, ଋଣ ଖାତାକୁ ‘ଠକେଇ’ ବୋଲି ଘୋଷଣା କରିବା ପୂର୍ବରୁ ତାଙ୍କୁ ଶୁଣାଣିର ସୁଯୋଗ ଦିଆଯାଇ ନଥିଲା, ଯାହା ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ଏବଂ ସୁପ୍ରିମକୋର୍ଟର ନିୟମର ଉଲ୍ଲଙ୍ଘନ। ସେ ଆହୁରି କହିଥିଲେ ଯେ, ୨୦୨୪ ସେପ୍ଟେମ୍ବର ୬ରେ ବ୍ୟାଙ୍କ ଆରବିଆଇକୁ ‘ଠକେଇ’ ଘୋଷଣା ବିଷୟରେ ସୂଚନା ଦେଇଥିଲା, କିନ୍ତୁ ଔପଚାରିକ ଆଦେଶ ୨୦୨୪ ନଭେମ୍ବର ୮ରେ ଜାରି ହୋଇଥିଲା ଏବଂ ତାଙ୍କୁ ଡିସେମ୍ବର ୨୫ରେ ଏହା ବିଷୟରେ ଜଣାପଡ଼ିଥିଲା। ୨୦୨୫ ଫେବୃଆରୀରେ ବମ୍ବେ ହାଇକୋର୍ଟ କାନାରା ବ୍ୟାଙ୍କର ‘ଠକେଇ’ ଘୋଷଣା ଉପରେ ସ୍ଥଗିତାଦେଶ ଜାରି କରିଥିଲେ ଏବଂ ବ୍ୟାଙ୍କର ପ୍ରକ୍ରିୟାଗତ ତ୍ରୁଟି ଉପରେ ପ୍ରଶ୍ନ ଉଠାଇଥିଲେ। କୋର୍ଟ ଜଣାଇଥିଲେ ଯେ, ଆରବିଆଇର ନିୟମ ଅନୁଯାୟୀ ଋଣଖାତାକୁ ‘ଠକେଇ’ ବୋଲି ଘୋଷଣା କରିବା ପୂର୍ବରୁ ଋଣଗ୍ରହୀତାଙ୍କୁ ଶୁଣାଣି କରାଯିବା ଆବଶ୍ୟକ।