ପୁଣି ଜଣେ ନେତାଙ୍କୁ ହତ୍ୟା

ପୁଣି ଗଡିଲା ନେତାଙ୍କ ମୁଣ୍ଡ । ବିଜେପି ନେତାଙ୍କୁ ହତ୍ୟା । ଜଣଙ୍କ ପରେ ଜଣଙ୍କର ଯାଉଛି ଜୀବନ । ସୁରକ୍ଷା ନେଇ ଉଠିଲା ପ୍ରଶ୍ନ । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ପଶ୍ଚିମ ଓଡିଶାର ଟାଣୁଆ ନେତା ନବ ଦାସଙ୍କ ମୃତ୍ୟୁ ସମସ୍ତଙ୍କୁ ବିଚଳିତ କରିଥିବା ବେଳେ ଏବେ ପୁଣି ଜଣେ ନେତାଙ୍କ ପ୍ରାଣ ଯାଇଛି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ଉସୁର ଥାନା ଅନ୍ତର୍ଗତ ଅୱାପାଲୀ ଅଞ୍ଚଳର ଜଣେ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି ମାଓବାଦୀ ।

ମୃତ ବିଜେପି ନେତା ହେଲେ ନୀଲକାନ୍ତ କାକେମ । ନୀଲକାନ୍ତ ଦୀର୍ଘ ୧୫ ବର୍ଷ ଧରି ଉସୁର ମଣ୍ଡଳ ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ । ନୀଲକାନ୍ତ ତାଙ୍କ ଶାଳୀଙ୍କ ବିବାହ ପ୍ରସ୍ତୁତି ପାଇଁ ନିଜ ପରିବାର ବର୍ଗ ସହ ପଙ୍କାରମ ଗାଁକୁ ଯାଇଥିଲେ । ଖବର ପାଇ ମାଓବାଦୀ ସେଠାରେ ପହଁଚି ତାଙ୍କୁ ଘରୁ ଟାଣି ଆଣି ପରିବାର ସମ୍ମୁଖରେ ଅତି ନିର୍ମମ ଭାବରେ କୁରାଢୀରେ ତାଙ୍କ ମୁଣ୍ଡକୁ କାଟି ହତ୍ୟା କରିଥିଲେ । ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଲୋକଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଥିବା ବେଳେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।