ପୁଣି ବାରବାଟୀ ଦୁର୍ଗ ଖନନ

କଟକ :  ଦୀର୍ଘ ୧୫ବର୍ଷ ପରେ ପୁଣି ଆରମ୍ଭ ହୋଇଛି ଐତିହାସିକ ବାରବାଟୀ ଦୁର୍ଗରେ ଖନନ କାର୍ଯ୍ୟ । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ  ଖନନ କରାଯାଉଛି । ପ୍ରଥମ ଦିନରେ ତ୍ରୟୋଦଶ ଓ ଚତୁର୍ଦ୍ଦଶ ଶତାବ୍ଦୀ (ମଧ୍ୟଯୁଗୀୟ)ର  ବିରଳ ଭଗ୍ନ ପଥର ମୂର୍ତ୍ତି ମିଳିଛି । ଏହି ଖନନ ପ୍ରକ୍ରିୟା ଜାରିରହିବ  ଏବଂ  ଏହାକୁ ନେଇ ଏଏସ୍‌ଆଇ ଅଧିକ ଅନୁସନ୍ଧାନ କରୁଥିôବା ସୂଚନା ମିଳିଛି ।  ବାରବାଟୀ ଦୁର୍ଗ ନିର୍ମାଣରେ ମଧ୍ୟଯୁଗୀୟ ସଂସ୍କୃତିର ଛାପ ରହିଥିଲା । ସେହି ସମୟରେ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରମାନଙ୍କ ସହ ଉତ୍କଳର ନୌବାଣିଜ୍ୟ ସମ୍ପର୍କ ରହିଥିବାରୁ ଏ ଦିଗରେ ଅଧିକ ଜାଣିବା ପାଇଁ ଖନନ ଆରମ୍ଭ ହୋଇଥିବା କୁହାଯାଉଛି ।

ସୂଚନାଯୋଗ୍ୟ ଯେ ଇତିହାସର ଅନେକ ସ୍ମୃତିବହନ କରୁଥିବା ବାରବାଟୀ ଦୁର୍ଗ ସମ୍ପର୍କରେ ଅଧିକ ଅନୁସନ୍ଧାନ ପାଇଁ ଏଏସ୍‌ଆଇ ପକ୍ଷରୁ ୧୯୮୯ରେ ବାରବାଟୀ ଦୁର୍ଗ, ଗଡ଼ଖାଇର ଖନନ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ୧୯୯୭, ୨୦୦୩ ଓ ୨୦୦୭ରେ ମଧ୍ୟ ଖନନ କରାଯାଇଥିଲା । ସେ ସମୟରେ ଅନେକ ଗୁଢ଼ ରହସ୍ୟ ମଧ୍ୟ ପଦାକୁ ଆସିଥିଲା । କିନ୍ତୁ ଏହା ପରେ  ପ୍ରକ୍ରିୟା ବନ୍ଦ ରହିଥିଲା । ତେବେ ଦୀର୍ଘବର୍ଷ ପରେ ପୁଣି ଖନନ କାର୍ଯ୍ୟ ଆରମ୍ଭ ହେବା ନେଇ କଟକ ସହରବାସୀ ଅତ୍ୟନ୍ତ ଖୁସିବ୍ୟକ୍ତ କରିଛନ୍ତି ।

ଏହାଦ୍ୱାରା ବାରବାଟୀ ବିଷୟରେ ଅଧିକ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି  ବୁଦ୍ଧିଜୀବୀ ଓ ଐତିହାସିକମାନେ ମତପ୍ରକାଶ କରିଛନ୍ତି । ମଙ୍ଗଳବାର ସକାଳେ ପୂଜାର୍ଚ୍ଚନା ପରେ ଖନନ ଆରମ୍ଭ ହୋଇଥିବାବେଳେ ସୁପରିଟେଣ୍ଡିଙ୍ଗ୍ ଆର୍କିଓଲୋଜିଷ୍ଟ ଡକ୍ଟର୍ ଡି. ଗଡ଼ନାୟକ ଉପସ୍ଥିତ ଥିଲେ ।