ଭୁବନେଶ୍ବର: ଆଜି ଏକ ଦିବସୀୟ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ। ଭୁବନେଶ୍ୱରର ୟୁନିଟ୍-୩ ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ସମବାୟ କ୍ଷେତ୍ର ଏବଂ ଜାତୀୟ ସୁରକ୍ଷା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ଉପକ୍ରମର ଶୁଭାରମ୍ଭ କରିଛନ୍ତି ଶ୍ରୀ ଶାହ। ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବିଶିଷ୍ଟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ଆଜିର କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ସେ କହିଛନ୍ତି, ଓଡ଼ିଶା ହେଉଛି ସମୃଦ୍ଧ କଳା ଓ ସଂସ୍କୃତିର ମାଟି। ସେ ଏହା ମଧ୍ୟ କହିଛନ୍ତି, ଆମ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମ ଦେଶ ବିକାଶ ପଥରେ ଆଗେଇ ଚାଲିଛି। ନିକଟ ଅତୀତରେ କୃତ୍ରିମ ବୁଦ୍ଧିମତା ସମ୍ମିଳନୀର ଆୟୋଜନ କରାଯାଇଛି ଯେଉଁଥିରେ ବିଭିନ୍ନ ଦେଶର ନେତୃତ୍ୱ ନେଉଥିବା ଜନପ୍ରତିନିଧି ଓ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗଦେଇଛନ୍ତି। ଆଗାମୀ ଦିନରେ ଆମ ଦେଶ ଭାରତକୁ ସମ୍ପୂର୍ଣ୍ଣ ଭାବେ ନକ୍ସଲବାଦରୁ ମୁକ୍ତ କରିବା ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାରେ ମଧ୍ୟ ନୂତନ ସରକାର ଗଠନ ହେବା ପରେ ବିକଶିତ ଓଡ଼ିଶା-୨୦୩୬ ଓ ବିକଶିତ ଭାରତ-୨୦୪୭ ନିର୍ମାଣ କରିବାକୁ ଲକ୍ଷ୍ୟ ରଖି ସରକାରଙ୍କ ତରଫରୁ କାର୍ଯ୍ୟ କରାଯାଉଛି। ଧାନ ଚାଷୀମାନଙ୍କୁ ୩୧୦୦ ଟଙ୍କାର ଏମ୍ଏସପି ପ୍ରଦାନ କରିବା ଠାରୁ ଆରମ୍ଭ କରି ମହିଳାମାନଙ୍କୁ ସଶକ୍ତ କରିବା ନିମନ୍ତେ ସୁଭଦ୍ରା ଯୋଜନା ପ୍ରଣୟନ କରାଯାଇଛି। ଆଗାମୀ ଦିନରେ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ସହ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନର ଲକ୍ଷ୍ୟ ପୂରଣ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ରାଜ୍ୟ ପ୍ରତି ବର୍ଗର ପ୍ରତିଟି ବ୍ୟକ୍ତିଙ୍କୁ ବିକାଶ ପ୍ରକ୍ରିୟାରେ ସାମିଲ୍ କରି ବିକଶିତ ଓଡ଼ିଶା ଗଠନ ଦିଗରେ ଅଗ୍ରସର ହେଉଛି ବୋଲି ମତ ପ୍ରକାଶ କରିଛନ୍ତି ଶ୍ରୀ ଶାହ। ଓଡ଼ିଶାର ବିକାଶ ଯାତ୍ରାରେ ଯୋଡ଼ି ହୋଇଛି ନୂତନ ଫର୍ଦ୍ଦ। ଆଜି ଗୋଟିଏ ଦିନରେ ୩୨୭୫ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହାସହିତ ୬ଟି ପ୍ରକଳ୍ପ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହେଇଛି। ଏହାମାଧ୍ୟମରେ ଓଡ଼ିଶାର ଚାଷୀ ସମୃଦ୍ଧ ହେବ, ଓଡ଼ିଶାର ଯୁବକ ସମୃଦ୍ଧ ହେବେ, ଓଡ଼ିଶାର ମା’ମାନେ ସମୃଦ୍ଧ ହେବେ ଏବଂ ସାରା ଓଡ଼ିଶା ସମୃଦ୍ଧ ହେବ ବୋଲି କହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ପୋଲିସକୁ ଶକ୍ତିଶାଳୀ, ପ୍ରଭାବଶାଳୀ ଏବଂ ବୃତ୍ତିଗତ କରିବାରେ ଶ୍ରୀ ଶାହଙ୍କ ଅବଦାନ ଅତୁଳନୀୟ। ଏହାଦ୍ବାରା ୨୦୨୫ ର ପ୍ରଥମ ଛଅ ମାସରେ, ଓଡ଼ିଶାରେ ମହିଳା ବିରୋଧୀ ଅପରାଧରେ ଦଣ୍ଡ ହାର ୪୧ ପ୍ରତିଶତ ବୃଦ୍ଧି ପାଇଛି, ଯାହା ୨୦୨୩ ରେ ମାତ୍ର ୬.୭ ପ୍ରତିଶତ ଥିଲା। ପୋଲିସ ସଂସ୍କାର ସହିତ, ‘ସହକାରୀତା ସେ ସମୃଦ୍ଧି’ ଆମ ସମୃଦ୍ଧ ଓଡ଼ିଶାର ଦୃଷ୍ଟିକୋଣ ସହିତ ମେଳ ଖାଉଛି। କାରଣ, ସମବାୟ ମାଧ୍ୟମରେ, ସମାଜର ପଛୁଆ ବର୍ଗର ଲୋକମାନେ ଆର୍ଥିକ ପ୍ରକ୍ରିୟାରେ ସାମିଲ ହୋଇଥାନ୍ତି। ଯେତେବେଳେ ରାଜ୍ୟର କୋଟି କୋଟି ଲୋକ ଆର୍ଥିକ ଭାବରେ ସଶକ୍ତ ହେବେ, ସେତେବେଳେ ଓଡ଼ିଶା ସମୃଦ୍ଧ ହେବ ଏବଂ ଭାରତ ବିକଶିତ ହେବ। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ଦିଗ୍ଦର୍ଶନ ସହିତ, ଓଡ଼ିଶାରେ ପରିବର୍ତ୍ତନର ସ୍ୱପ୍ନ ଦେଖି ଆପଣମାନେ ଯେଉଁ ସରକାର ଗଠନ କରିଛନ୍ତି, ସେ ସ୍ୱପ୍ନ ନିଶ୍ଚୟ ସାର୍ଥକ ହେବ।