ବିଗୁଡ଼ୁଛି ଆମେରିକାର ଅର୍ଥନୀତି

ୱାଶିଂଟନ୍‌: ବିଶ୍ୱର ବୃହତ୍ତମ ତଥା ଶକ୍ତିଶାଳୀ ଅର୍ଥବ୍ୟବସ୍ଥା ସମ୍ପନ୍ନ ଦେଶ ଆମେରିକା ପାଇଁ ଏବେ ବଡ଼ ସମସ୍ୟା ଉତ୍ପନ୍ନ ହୋଇଛି । ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଦେଶ ଉପରେ ଋଣ ଭାର ଏବଂ ତଦ୍‌ଜନିତ ସୁଧ ପରିମାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାକି ସରକାରଙ୍କ ପାଇଁ ଏବେ ସାମ୍ପ୍ରତିକ ମୁଣ୍ଡବିନ୍ଧାର କାରଣ ସାଜିଛି । ପ୍ରକାଶ, ଆମେରିକାର ଋଣ ହେଉଛି ଆମେରିକାର ସଂଘୀୟ ସରକାର ନିଜ ଖର୍ଚ୍ଚ ବହନ କରିବା ପାଇଁ ନେଉଥିବା ଋଣ ରାଶି । ଆମେରିକା ସରକାରଙ୍କ ଅନୁସାରେ ଆମେରିକାରେ ସରକାରଙ୍କ ଆୟ ହ୍ରାସ ପାଉଛି ଏବଂ ବ୍ୟୟ ବୃଦ୍ଧି ପାଉଛି । ଫଳରେ ଦେଶ ଚଳାଇବା ପାଇଁ ସରକାର ବାଧ୍ୟ ହୋଇ ଋଣ କରୁଛନ୍ତି । ସମ୍ପ୍ରତି ଆମେରିକା ଉପରେ ଋଣ ପରିମାଣ ୩୫ ଟ୍ରିଲିୟନ ଡଲାର ପାଖାପାଖି ହେବ । ଆଉ ମାତ୍ର ୨.୫ ବିଲିୟନ ଡଲାର ପରିମାଣର ଋଣ ଆମେରିକାକୁ ୩୫ ଟ୍ରିଲିଅନ୍ ଡଲାର ଋଣଭାରରେ ପହଞ୍ଚାଇଦେବ । ସବୁଠୁ ବଡ଼ କଥା ହେଉଛି, ୨୦୧୯ ପରେ ଆମେରିକା ପାଇଁ ଋଣ ଭାର ପ୍ରାୟ ୧୩ ଟ୍ରିଲିୟନ ଡଲାର ବୃଦ୍ଧି ଘଟିଛି, ଯାହା ଭାରତୀୟ ଅର୍ଥନୀତିର ପ୍ରାୟ ୩ ଗୁଣ । ସେହିପରି ଦେଶର ଋଣ ତୁଳନାରେ ଜିଡିପି ଅନୁପାତ ମଧ୍ୟ ୧୨୨% ବୃଦ୍ଧି ପାଇଛି । ବିଗତ ୫ ବର୍ଷ ମଧ୍ୟରେ ଏହା ହାରାହାରି ୧୯% ବର୍ଦ୍ଧିତ ଜିଡିପି ହାର । ପରିସ୍ଥିତି ଏପରି ହୋଇଛି ଯେ, ଆମେରିକା ଭଳି ଏକ ବିକଶିତ ତଥା ଶକ୍ତିଶାଳୀ ଅର୍ଥବ୍ୟବସ୍ଥାକୁ ମଧ୍ୟ ଏବେ ଏସବୁ ଋଣର ସୁଧ ପରିଶୋଧ କରିବା ପାଇଁ ସରକାରୀ ଖର୍ଚ୍ଚ ବାବଦକୁ ଉଦ୍ଦିଷ୍ଟ ଅର୍ଥରେ ମଧ୍ୟ କାଣ୍ଟଛାଣ୍ଟ କରିବାକୁ ପଡୁଛି । ସୁଧ ଦେୟ ପାଇଁ ଆମେରିକାକୁ ପ୍ରତିଦିନ ୧.୮ ବିଲିୟନ ଡଲାର ଖର୍ଚ୍ଚ କରିବାକୁ ପଡ଼ୁଛି । ଗାର୍ଡିଅନ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଆମେରିକା ପାଇଁ ଏବେ ପ୍ରତି ୩ମାସରେ ଏକ ବଡ଼ ପରିମାଣର ଋଣର ଆବଶ୍ୟକତା ରହୁଛି । ଅର୍ଥାତ୍ ଏହି ୩ ମାସ ସୁଦ୍ଧା ଆମେରିକା ପାଇଁ ଋଣ ପରିମାଣ ପ୍ରାୟ ଏକ ଟ୍ରିଲିୟନ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଉଛି । ଚଳିତ ବର୍ଷ ଜାନୁଆରୀ ୪ରେ ଏହା ୩୪ ଟ୍ରିଲିୟନ ଡଲାରରେ ପହଞ୍ଚିଛି । ଯଦି ଆମେରିକାର ଋଣ ପରିମାଣ ଏହି ବେଗରେ ବୃଦ୍ଧି ପାଏ ତେବେ ୨୦୫୪ ସୁଦ୍ଧା ଏହା ଦେଶର ଅର୍ଥନୀତିର ୧୬୬%ରେ ପହଞ୍ଚିଯିବ । ବିଶେଷଜ୍ଞଙ୍କ ଅନୁଯାୟୀ, ଦେଶର ଅର୍ଥନୀତି ଏବଂ ଜାତୀୟ ସୁରକ୍ଷା ପାଇଁ ଏହା ଭଲ କଥା ନୁହେଁ । ଏଭଳି ସ୍ଥିତି ଜାରି ରହିଲେ, କେବଳ ଋଣ ପରିଶୋଧ ପୂର୍ବକ ଆମେରିକାର ଅର୍ଥନୀତି ଭୁଶୁଡ଼ି ପଡ଼ିବ । ଆମେରିକା ଇତିହାସରେ ଏଭଳି ସ୍ଥିତି କେବେ ଦେଖିବାକୁ ମିଳିନଥିଲା ।