ଭାରତକୁ ପ୍ରଶଂସାରେ ପୋତି ପକାଇଲା ଆମେରିକା

ଭାରତର ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ଜି-୨୦ ବୈଠକ । ଦେଶର ବୈଦେଶିକ ମନ୍ତ୍ରୀଙ୍କର ଦୁଇ ଦିନିଆ ବୈଠକ ଶେଷ ହେବା ପରେ ଆମେରିକା ଭାରତର ଜି-୨୦ ନେତୃତ୍ୱକୁ ପ୍ରଶଂସା କରିଛି । ଆମେରିକା ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ନେଡ ପ୍ରାଇସ ଗୁରୁବାର ଏକ ପ୍ରେସ ବ୍ରିଫିଙ୍ଗରେ କହିଛନ୍ତି, ଯେଉଁଭଳି ଭାବେ ଭାରତ ଜି ୨୦ରେ ନେତୃତ୍ୱ ନେଲା ସେଥିପାଇଁ ଭାରତ ନିକଟରେ ଆମେ କୃତଜ୍ଞ । ଆମର ସହଭାଗିତା ବୈଦେଶିକମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇଥିଲା ।

ଭାରତ ସହ ଆମର ସମ୍ପର୍କ ମୂଲ୍ୟବାନ । ଏହି ବର୍ଷ ମଧ୍ୟରେ ଅନେକ କାର୍ଯ୍ୟ କରିବାକୁ ପଡିବ । ହେଲେ ଜି-୨୦ର ନେତୃତ୍ୱ ନେଇ ଭାରତ ଏକ ଆଶାଜନକ ଆରମ୍ଭ କରିବାକୁ ଯାଇଛି । ନେଡ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ସହ ଆମେରିକାର ସହଭାଗୀତା ହେଉଛି ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ଏବଂ ସେମାନେ ଭାରତ ସହ ମିଶି କାର୍ଯ୍ୟ କରିପାରିବେ, ଯାହା ଉଭୟ ଦେଶ ପାଇଁ ପ୍ରାଥମିକତା, ଯେଉଁଥିରେ ପାରସ୍ପରିକ ସମୃଦ୍ଧତା, ଗଣତନ୍ତ୍ରକୁ ସମର୍ଥନ କରିବା, ଜଳବାୟୁ ସଙ୍କଟକୁ ଦୂର କରିବା ଓ ନିୟମ ଭିତ୍ତିକ ଶୃଙ୍ଖଳା ବଜାୟ ରଖିବା ।

ହେଲେ ଭାରତ-ପ୍ରଶାନ୍ତ ସନ୍ଦର୍ଭରେ ଭାରତ ପାଇଁ ଆମେରିକା ବିଶେଷ ଗୁରୁତ୍ୱପୂର୍ଣ୍ଣ । ଏହା ଏକ ସ୍ୱତନ୍ତ୍ର ଓ ଖୋଲା ଇଣ୍ଡୋ-ପାସିଫିକ ଅଞ୍ଚଳ ଗଠନ ଏବଂ ସଂରକ୍ଷଣ କରିବାରେ ସାହାଯ୍ୟ କରୁଛି, ଯାହା ଆମ ଭାରତୀୟ ପ୍ରତିପକ୍ଷଙ୍କ ସହ ଅଂଶୀଦାର ।