ଆମାଜନ୍‌ର ଲୋଭନୀୟ ଅଫର, ନୂଆ ବିକ୍ରେତାଙ୍କୁ ୫୦% ରିହାତି

ବେଙ୍ଗାଲୁରୁ: ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ବିଶ୍ୱର ସର୍ବବୃହତ ଇ-କମର୍ସ କମ୍ପାନୀ ଆମାଜନ ପକ୍ଷରୁ ନୂଆ ବିକ୍ରେତାଙ୍କୁ ଲୋଭନୀୟ ଅଫର ପ୍ରଦାନ କରାଯାଇଛି । ଅଗଷ୍ଟ ୨୮ରୁ ଅକ୍ଟୋବର ୨୬ ମଧ୍ୟରେ ଆମାଜନ ଜରିଆରେ ନିଜର ସାମଗ୍ରୀ ବିକ୍ରି କରିବାକୁ ଆଗ୍ରହୀ ଥିବା ବିକ୍ରେତାଙ୍କୁ ୫୦ ପ୍ରତିଶତ ରିହାତି ମିଳିବ ବୋଲି କୁହାଯାଇଛି । ବର୍ତ୍ତମାନ ଭାରତର ଲକ୍ଷାଧିକ କମ୍ପାନୀ ଆମାଜନ ୱେବ୍‌ସାଇଟ୍ ମାଧ୍ୟମରେ ସେମାନଙ୍କର ସାମଗ୍ରୀ ବିକ୍ରି କରୁଛନ୍ତି । ସେପ୍ଟେମ୍ବର ୨୩ରୁ ଆମାଜନ୍‌ର ‘ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ’ ସେଲ୍ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ ଭାରତୀୟ ଗ୍ରାହକମାନେ ଆମାଜନ ୱେବ୍‌ସାଇଟ୍ ଜରିଆରେ ନିଜ ମନପସନ୍ଦ ସାମଗ୍ରୀ କିଣିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ପାର୍ବଣ ଋତୁରେ ଅଧିକରୁ ଅଧିକ ଗ୍ରାହକ ଯୋଗାଡ କରିବାକୁ ଆମାଜନ ଓ ଫ୍ଲିପ୍‌କାର୍ଟ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥାଏ । ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଏହି ଦୁଇ କମ୍ପାନୀ ପ୍ରାୟତଃ ପ୍ରତ୍ୟେକ ସାମଗ୍ରୀ ଉପରେ ଅ।କର୍ଷଣୀୟ ରିହାତି ପ୍ରଦାନ କରିଥାନ୍ତି । ଗତବର୍ଷ ଆମାଜନ ଭାରତୀୟ ମାର୍କେଟରେ ୨୫୦ ନିୟୁତ ଡଲାର ପୁଞ୍ଜି ବିନିଯୋଗ କରିଥିଲା । ଅପରପକ୍ଷରେ ଆମାଜନ ଓ ଫ୍ଲିପ୍‌କାର୍ଟ ଭଳି ଆନ୍ତର୍ଜାତିକ କମ୍ପାନୀ ଅସାଧୁ ଉପାୟରେ ବ୍ୟବସାୟ ଚଳାଇଥିବାରୁ ସେମାନେ କ୍ଷତି ସହୁଛନ୍ତି ବୋଲି ଅଧିକାଂଶ ଭାରତୀୟ ବ୍ୟବସାୟୀ ବାରମ୍ବାର ଅଭିଯୋଗ କରିଆସୁଛନ୍ତି ।

Amazon's coveted offer