କୋଲକାତା: ତୃଣମୂଳ କଂଗ୍ରେସ (ଟିଏମସି)ର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଡାଇମଣ୍ଡ ହାର୍ବର ସାଂସଦ ଅଭିଷେକ ବାନାର୍ଜୀଙ୍କ କୋଲକାତାସ୍ଥିତ କାଲିଘାଟ ବାସଭବନ ଉପରେ ଗୁରୁତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଗୁରୁବାର ରାତି ପ୍ରାୟ ୨ଟା ସମୟରେ ବିଜେପି କର୍ମୀମାନେ ତାଙ୍କ ଘର ଉପରେ ଏହି ଆକ୍ରମଣ କରିଥିବା ନେଇ ସେ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ସାଂଘାତିକ ଅଭିଯୋଗ ଆଣିଛନ୍ତି। ଅଭିଷେକ ବାନାର୍ଜୀ ପ୍ରକାଶ କରିଛନ୍ତି ଯେ, ଗତ ଦୁଇ ଦିନ ଧରି ନିରନ୍ତର ରେକି କରିବା ପରେ ବିଜେପି ଗୁଣ୍ଡାମାନେ ରାତି ବିଳମ୍ବରେ ତାଙ୍କ ଘର ଉପରେ ଆକ୍ରମଣ କରିଛନ୍ତି। ଗତ ଛଅ ମାସ ମଧ୍ୟରେ ତାଙ୍କୁ ହତ୍ୟା କରିବା ପାଇଁ ଏହା ସପ୍ତମ ପ୍ରୟାସ ବୋଲି ସେ ଦାବି କରିଛନ୍ତି। ଜଣେ ନିର୍ବାଚିତ ସାଂସଦଙ୍କ ସୁରକ୍ଷା ବିପନ୍ନ ହୋଇପଡ଼ିଥିବା ବେଳେ ରାଜ୍ୟର ସାଧାରଣ ଲୋକଙ୍କ ସୁରକ୍ଷା ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଏଥିସହିତ ପୁଲିସ ଏବଂ ନ୍ୟାୟପାଳିକା ସବୁ ଜାଣି ମଧ୍ୟ ନୀରବ ଦର୍ଶକ ସାଜିଛନ୍ତି ବୋଲି ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୂଚନା ଅନୁସାରେ, ସାଂସଦଙ୍କ ୩୯ତମ ଜନ୍ମଦିନ ପାଳନ ପାଇଁ ଟିଏମସି କର୍ମୀମାନେ କାଲିଘାଟ ବାସଭବନ ବାହାରେ ଏକାଠି ହୋଇଥିବା ସମୟରେ ଏହି ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହାକୁ ନେଇ ଟିଏମସି ଏବଂ ବିଜେପି ସମର୍ଥକଙ୍କ ମଧ୍ୟରେ ତୀବ୍ର ଧସ୍ତାଧସ୍ତି, ପଥରମାଡ଼ ଏବଂ ଦଳୀୟ ବ୍ୟାନର-ପୋଷ୍ଟର ଭଙ୍ଗାରୁଜା ହୋଇଛି। ଘଟଣାସ୍ଥଳରେ କୋଲକାତା ପୁଲିସ ଉପସ୍ଥିତ ଥିଲେ ମଧ୍ୟ ଏହି ହିଂସାତ୍ମକ ଆକ୍ରମଣକୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ନେଇ ଅଭିଯୋଗ ହୋଇଛି।