ଜବାହାର ନବୋଦୟ ବିଦ୍ୟାଳୟରେ ରାଗିଂ ଅଭିଯୋଗ, ହଷ୍ଟେଲ ଛାଡିଲେ ଛାତ୍ରଛାତ୍ରୀ

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ ଥିବା ଜବାହର ନବୋଦୟ ବିଦ୍ୟାଳୟରୁ ରାଗିଂ ଅଭିଯୋଗ ଆସିଛି | ପାଇକମାଲ ଜବାହର ନବୋଦୟ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଆକ୍ରମଣରେ ସପ୍ତମ ଶ୍ରେଣୀର ଅନେକ ଛାତ୍ର ଆହତ ହେବା ଘଟଣା ପରେ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏହି ଘଟଣାରେ ୨୭ ଜଣ ଛାତ୍ରଛାତ୍ରୀ ହଷ୍ଟେଲ ଛାଡିଛନ୍ତି। ଅଭିଭାବକ ନିରୁପମା ପୁରୋହିତଙ୍କ କହିବା ଅନୁସାରେ ଗତ ଶନିବାର ରାତିରେ ତାଙ୍କ ପୁଅ ନିଜ ରୁମ ସଫା କରୁଥିବାବେଳେ ସେଠାକୁ ଅଷ୍ଟମ ଶ୍ରେଣୀର କିଛି ଛାତ୍ର ଆସି ସେଠାରେ ଅଳିଆ ପକାଇଥିଲେ। ତାଙ୍କ ପୁଅ ବାରଣ କରିବାରୁ ସେମାନେ ଝାଡୁ ଓ ଦଉଡି ସାହାଯ୍ୟରେ ପୁଅକୁ ଆକ୍ରମଣ କରିଥିଲେ । ଏହା ସହ ସେଠାରେ ଥିବା ଅନ୍ୟ ସପ୍ତମ ଶ୍ରେଣୀର ଛାତ୍ରଙ୍କୁ ଅଷ୍ଟମ ଶ୍ରେଣୀ ଛାତ୍ର ମାନେ ଆକ୍ରମଣ କରିଥିଲେ। ଘଟଣାରେ କିଛି ଛାତ୍ର ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସା ହୋଇଥିବା ଜଣାପଡ଼ିଛି। ପରେ ଅଭିଭାବକମାନେ ଘଟଣା ବିଷୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ। କିନ୍ତୁ ସ୍କୁଲ କର୍ତ୍ତୃପକ୍ଷ ଉଚିତ ପଦକ୍ଷେପ ନେଇ ନଥିବା ବେଳେ ଅସନ୍ତୁଷ୍ଟ ଅଭିଭାବକମାନେ ନିଜ ନିଜ ପିଲାଙ୍କୁ ହଷ୍ଟେଲରୁ ଘରକୁ ନେଇଯାଇଛନ୍ତି।