ଭୁବନେଶ୍ବର: ପୁରୀ ଜିଲ୍ଲା ନିମାପଡ଼ା କେନାଲ ରୋଡ୍ସ୍ଥିତ ‘ନନ୍ଦିନୀ ଗେଷ୍ଟ ହାଉସ୍’ରେ ଜଣେ ମହିଳା କର୍ମଚାରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଭଳି ସଂବେଦନଶୀଳ ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ଅନୁଗୁଳ ଅଞ୍ଚଳର ଏହି ମହିଳା ଜଣକ ପୂର୍ବରୁ ଭୁବନେଶ୍ୱରର ଏକ ଗେଷ୍ଟ ହାଉସରେ କାମ କରୁଥିଲେ। ଗତ ୧ ତାରିଖରେ ସେ ନିମାପଡ଼ାର ନନ୍ଦିନୀ ଗେଷ୍ଟ ହାଉସରେ ଯୋଗ ଦେଇଥିଲେ। ତେବେ ୮ ତାରିଖରେ ଗେଷ୍ଟ ହାଉସର ୪ ଜଣ କର୍ମଚାରୀ- ରାଜା, ସୁଶାନ୍ତ, ଅକ୍ଷୟ ଓ ରମେଶ ଚନ୍ଦ୍ର ଦାସ ତାଙ୍କ ସହ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ। ଏ ନେଇ ପୀଡ଼ିତା ପ୍ରଥମେ ଭୁବନେଶ୍ୱରର ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଘଟଣାସ୍ଥଳ ନିମାପଡ଼ା ଅଞ୍ଚଳ ହୋଇଥିବାରୁ ଖଣ୍ଡଗିରି ଥାନା ପୋଲିସ ମାମଲାଟିକୁ ନିମାପଡ଼ା ଥାନାକୁ ହସ୍ତାନ୍ତର କରିଥିଲା। ନିମାପଡ଼ା ପୋଲିସ କେସ୍ ନଂ ୨୯୮/୨୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ପିପିଲିରୁ ୨ ଜଣ ଏବଂ ନିମାପଡ଼ାରୁ ୨ ଜଣ— ସମୁଦାୟ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।