ସସମ୍ମାନେ ନିମନ୍ତ୍ରିତ ହେବେ ଜଗତଗୁରୁ:ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ ପ୍ରକାଶ ପରେ ଚେତିଲା ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଜଗତଗୁରୁଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ୱତନ୍ତ୍ର ନିମନ୍ତ୍ରଣ କରାଯିବ  ବୋଲି ସଫେଇ ଦେଇଛି ଶ୍ରୀମନ୍ଦିର ପ୍ରଶାସନ ।

ଆଜି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀମନ୍ଦିର ମୁଖ୍ୟ ପଶାସକ ରଞ୍ଜନ ଦାସ କହିଛନ୍ତି, ଆମେ ସମସ୍ତ ପୀଠ, ମନ୍ଦିର ମୁଖ୍ୟକୁ ନିମନ୍ତ୍ରଣ କରାଯିବ । ଜଗତଗୁରୁ ଶଙ୍କରାଚାର୍ଯ୍ୟ ପୁରୀ ମାଟିର ଧର୍ମଗୁରୁ ଏବଂ ଗୋବର୍ଦ୍ଧନପୀଠର ମୁଖ୍ୟ ତାଙ୍କୁ ସସମ୍ମାନେ ନିମନ୍ତ୍ରଣ କରାଯିବ । ତାଙ୍କର ସହଯୋଗ ଓ ପରାମର୍ଶ ବିନା ଆମେ କିଛି କରିବୁ ନାହିଁ  । ତାଙ୍କର ଉପସ୍ଥିତି ନେଇ ତାଙ୍କ ସହ ଆଲୋଚନା କରିବୁ  । ତାଙ୍କ ଉପସ୍ଥିତିରେ ହିଁ ସବୁ କାମ କରାଯିବ ବୋଲି କହିଚନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ।

ସୂଚନାଥାଉ କି, ସୁରଟରେ ଏକ ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗ ଦେଇ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମନର କ୍ଷୋଭ ପ୍ରକାଶ କରିଥିଲେ । ସେ କହିଥିଲେ, ପ୍ରଶାସନ ହେଉ ବା ଶ୍ରୀମନ୍ଦିର ପ୍ରଶାସନ କିମ୍ବା ସେବାୟତ, କେହି ମୋର ପରାମର୍ଶ ନେଉ ନାହାନ୍ତି । ମୋତେ କେହି କିଛି ପଚାରୁ ନାହାନ୍ତି । ସମସ୍ତେ ମୋଠାରୁ ଦୂରତ୍ୱ ବଜାୟ ରଖୁଛନ୍ତି । ଶ୍ରୀମନ୍ଦିର କାର୍ଯ୍ୟରେ ମୋର ପରାମର୍ଶ ନେଇ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହେଲେ କେହି କେହି ମୋତେ କିଛି ପଚାରୁ ନାହାନ୍ତି ବୋଲି କହିଥିଲେ ଶଙ୍କରାଚାର୍ଯ୍ୟ ।

ଜଗତଗୁରୁ ଶଙ୍କରାଚାର୍ଯ୍ୟ ଆହୁରି କହିଥିଲେ, ମୋର ସମ୍ପର୍କ କେବଳ ରଥଯାତ୍ରାବେଳେ ରଥ ଉପରକୁ ଯିବାରେ ସୀମିତ ହୋଇ ରହିଛି । ତା ଛଡା ଶ୍ରୀମନ୍ଦିର ସମ୍ପର୍କିତ କୌଣସି ପ୍ରସଙ୍ଗରେ ମୋର ସଂପୃକ୍ତି କେହି ଖୋଜୁ ନାହାନ୍ତି ବୋଲି କହିଛନ୍ତି । ତେଣୁ ମୋତେ ନ ପଚାରିଲେ ଉପରେ ପଡି ‘ମାନ ନ ମାନ, ମେଁ ତେରା ମେହମାନ’ ନ୍ୟାୟରେ କିଛି କହିବାକୁ ଚାହୁଁନାହିଁ ବୋଲି ସେ କହିଛନ୍ତି ।