ଖୋର୍ଦ୍ଧାରେ ୩୧ ଯାଏଁ ସମସ୍ତ ସ୍କୁଲ ଛୁଟି, ଶିକ୍ଷକମାନେ ଯିବେ ସ୍କୁଲ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଥିବା ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଆଖିଆଗରେ ରଖି ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି | ଖୋର୍ଦ୍ଧା ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାର ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ଏକ ଜରୁରୀକାଳୀନ ଚିଠି ମାଧ୍ୟମରେ ଏହି ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶାନୁସାରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ହାଇସ୍କୁଲ୍, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ସମସ୍ତ ସରକାରୀ, ବେସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAVs) ଗୁଡ଼ିକ ଜୁଲାଇ ୩୦ ଏବଂ ଜୁଲାଇ ୩୧ ତାରିଖରେ ବନ୍ଦ ରହିବ। ପ୍ରଶାସନ ପକ୍ଷରୁ ଆଗାମୀ ୪ ଦିନ ପାଇଁ ଶିକ୍ଷକ ଓ କର୍ମଚାରୀଙ୍କ କୌଣସି ପ୍ରକାରର ଛୁଟି (Casual Leave) ନେବା ଉପରେ କଡ଼ା କଟକଣା ଲଗାଯାଇଛି। ଆବଶ୍ୟକ ପଡ଼ିଲେ ସ୍କୁଲ୍ କୋଠା ଏବଂ ଅନ୍ୟାନ୍ୟ ସୁବିଧାକୁ ରିଲିଫ୍ କେନ୍ଦ୍ର ଭାବରେ ବ୍ୟବହାର କରାଯିବ ବୋଲି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିନା କାରଣରେ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶକୁ ଅବମାନନା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।