ଆସନ୍ତା ୧୨ରୁ ରାଜଧାନୀରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ସମୟରେ ଧର୍ମାନୁଷ୍ଠାନ ଗୁଡିକ ବନ୍ଦ ରହିଥିଲା I ବର୍ତମାନ ସଂକ୍ରମଣ ହ୍ରାସ ପାଉଥିବାରୁ ଧର୍ମାନୁଷ୍ଠାନ ଖୋଲିବାକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ସେହି ଅନୁସାରେ ଆସନ୍ତା ୧୨ ତାରିଖ ଶନିବାର ଠାରୁ ରାଜଧାନୀ ରେ ଥିବା ଧର୍ମାନୁଷ୍ଠାନ ଖୋଲିବ । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ତେବେ କରୋନା ଟୀକା ନେଇଥିବା ବ୍ୟକ୍ତିଙ୍କୁ ହିଁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିଛି । ଲିଙ୍ଗରାଜ ମନ୍ଦିରରେ ଏକାଥରକେ ଶହେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ନିମନ୍ତେ ଅନୁମତି ଦିଆଯାଇଛି । ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ବିଏମସି ପକ୍ଷରୁ କୁହାଯାଇଛି ଯେ, ରାଜଧାନୀର ସମସ୍ତ ମନ୍ଦିର, ଧର୍ମାନୁଷ୍ଠାନ କୋଭିଡ-୧୯ ପ୍ରୋଟୋକଲକୁ ଅନୁସରଣ କରି ଖୋଲିବ । ସମ୍ପୂର୍ଣ୍ଣ ଟିକା ନେଇଥିବା ଶ୍ରଦ୍ଧାଳୁମାନେ ସେମାନଙ୍କର ଟିକାକରଣର ସଫ୍ଟ କପି ମୋବାଇଲ ବା ଟାବଲେଟରେ ରଖିପାରିବେ । ଏଥିସହ ଶ୍ରଦ୍ଧାଳୁମାନେ ସେମାନଙ୍କ ଫଟୋ ପରିଚୟପତ୍ର ଦେଖାଇବେ । ଗର୍ଭଗୃହ ମଧ୍ୟକୁ କୌଣସି ଶ୍ରଦ୍ଧାଳୁଙ୍କୁ ଅନୁମତି ଦିଆଯିବ ନାହିଁ । ସାମାଜିକ ଦୂରତା ନିୟକୁ ପାଳନ କରି ସେମାନେ ଦର୍ଶନ କରିପାରିବେ । ସେହିଭଳି ୧୫ ବର୍ଷରୁ କମ ବୟସ୍କ ପିଲା ନିଜ ଅଭିଭାବକଙ୍କ ସହ ମନ୍ଦିର ଭିତରକୁ ଯାଇପାରିବେ । କିନ୍ତୁ ଏଥିପାଇଁ ସେମାନଙ୍କୁ ଆଧାରକାର୍ଡ କିମ୍ବା ଅନ୍ୟ ପରିଚୟ ପତ୍ର ଦେଖାଇବାକୁ ପଡିବ ।ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମନ୍ଦିରରେ ଭୋଗ ପ୍ରସ୍ତୁତ ହୋଇପାରିବ ନାହିଁ । ସେହିଭଳି ଠାକୁରଙ୍କ ରୀତିନୀତି କରୁଥିବା ପୂଜକ ଟିକା ନେଇଥିବା ବାଧ୍ୟତାମୂଳକ କରାଯାଇଛି । ତେବେ ଦର୍ଶନ ସମୟରେ ଯେମିତି କରୋନା ଗାଇଡଲାଇନର ପାଳନ ହେବ ତାହା ଉପରେ ମନ୍ଦିର ପ୍ରଶାସନ ଦୃଷ୍ଟି ଦେବ । ଏହି ସମାନ ନିୟମ ଚର୍ଚ୍ଚ, ଗୁରୁଦ୍ୱାରମାନଙ୍କରେ ମଧ୍ୟ ଲାଗୁ ହେବ I

Comments (0)
Add Comment