ଭୋଟର ତାଲିକା ସଂଶୋଧନ ପାଇଁ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ପାଇଁ ପ୍ରସ୍ତୁତ ହେଉଛି ତ୍ରୁଟିଶୂନ୍ୟ ଭୋଟର ତାଲିକା I ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ କରାଇଛନ୍ତି ।

ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ତା.୦୧/୦୧/୨୦୨୪ରିଖକୁ ଯୋଗ୍ୟତାସୂଚକ ତାରିଖ ଭାବେ ନିଆଯାଇ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ କାର୍ଯ୍ୟକ୍ରମ ଚାଲୁରହିଛି । ଆସନ୍ତା ତା. ୨୭/୧୦/୨୦୨୩ରିଖ (ଶୁକ୍ରବାର)ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ ଓ ଚୂଡ଼ାନ୍ତ ଭୋଟର ତାଲିକା ଆସନ୍ତା ଜାନୁଆରୀ ତା. ୦୫/୦୧/୨୦୨୪ରିଖ (ଶୁକ୍ରବାର) ଦିନ ପ୍ରକାଶ ପାଇବ ବୋଲି ଭାରତ ନିର୍ବାଚନ ଆୟୋଗ ସୂଚନା ଦେଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ବୈଠକରେ ପ୍ରକାଶ କରିଛନ୍ତି ।

ଭୋଟର ତାଲିକା ରାଜ୍ୟର ସମସ୍ତ ଭୋଟର ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରକାଶ ପାଇବ ଓ ଜିଲ୍ଲାସ୍ତରରେ ରାଜନୈତିକ ଦଳମାନେ ଭୋଟର ପଞ୍ଜିକରଣ ଅଧିକାରୀଙ୍କ ଠାରୁ ଚିଠା ଭୋଟର ତାଲିକାର ନକଲ କପି ପାଇପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ବୈଠକରେ ସୂଚନା ଦେଇଛନ୍ତି ।

ପ୍ରକାଶିତ ଭୋଟର ତାଲିକାରେ ଥିବା ଦୋଷତ୍ରୁଟିକୁ ସୁଧାରିବା ପାଇଁ ତା. ୨୭/୧୦/୨୦୨୩ରିଖଠାରୁ ତା.୦୯/୧୨/୨୦୨୩ରିଖ ପର୍ଯ୍ୟନ୍ତ ଭୋଟରମାନଙ୍କର ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇ ତା.୨୬/୧୨/୨୦୨୩ରିଖ ସୁଦ୍ଧା ସମସ୍ତ ଆପତ୍ତି ଅଭିଯୋଗର ଶୁଣାଣି କରାଯାଇ ସମାଧାନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶୀ୍ର ଧଳ ବୈଠକ ରେ ସୂଚନା ଦେଇଛନ୍ତି ।

୧୮-୧୯ ବର୍ଷ ବର୍ଗର ସମସ୍ତ ଯୋଗ୍ୟ ଭୋଟରମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ନିର୍ବାଚନ ଆୟୋଗ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରି ଆସନ୍ତା ନଭେମ୍ବର ମାସରେ ଦୁଇଗୋଟି ରବିବାର ଯଥାନଭେମ୍ବର ୫ ତାରିଖ ଓ ନଭେମ୍ବର ୧୯ ତାରିଖ ଏବଂ ଦୁଇଗୋଟି ଶନିବାର ଯଥା-ନଭେମ୍ବର ୧୧ ତାରିଖ ଓ ନଭେମ୍ବର ୨୫ ତାରିଖକୁ ସ୍ୱତନ୍ତ୍ର ଅଭିଯାନ ଦିବସ ଭାବେ ଗ୍ରହଣ କରିଛନ୍ତି ।

ଏହି ୪ ଗୋଟି ସ୍ୱତନ୍ତ୍ର ଅଭିଯାନ ଦିବସଗୁଡ଼ିକରେ ରାଜ୍ୟର ପ୍ରତ୍ୟେକ ବୁଥ୍‌ରେ ବୁଥସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ସମସ୍ତ ଯୋଗ୍ୟ ଭୋଟରମାନଙ୍କର ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରାଇବାରେ ସହାୟତା ପ୍ରଦାନ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।