ପଦ୍ମପୁର ଉପନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ: ଆଦର୍ଶ ଆଚରଣ ଉଲ୍ଲଘଂନ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନିର୍ବାଚନ ତାରିଖ ଘୋଷଣା ପରଠାରୁ ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀ ସହ ସମଗ୍ର ବରଗଡ଼ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିଛି । ଏହାକୁ ସବୁ ରାଜନୈତିକ ଦଳର କର୍ମକର୍ତ୍ତା ଓ ପ୍ରାର୍ଥୀଙ୍କ ସହ ନିର୍ବାଚନ କାର୍ଯ୍ୟାଳୟ ନିୟୋଜିତ ଥିବା ସମସ୍ତ କର୍ମଚାରୀମାନେ ଅନୁପାଳନ କରିବା ନିମନ୍ତେ ନିର୍ଦ୍ଦେଶନାମା ରହିଛି । ଏଥିରେ ଉଲ୍ଲଘଂନ ହେଲେ ଲୋକପ୍ରତିନିଧି ଆଇନ ଅନୁସାରେ ସଂପୃକ୍ତ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଉପନିର୍ବାଚନ ପାଇଁ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ କୁମାର ଲୋହାନୀ ଏହା କହିଛନ୍ତି । ସିଇଓ ଶ୍ରୀ ଲୋହାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ଲୋହାନୀ କହିଛନ୍ତି ଯେ, ଏଥର ଉପନିର୍ବାଚନରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନେ ସର୍ବମୋଟ୍ ୪୦ ଜଣ ଓ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକ ୨୦ ଜଣ ତାରକା ପ୍ରଚାରକଙ୍କୁ ନିର୍ବାଚନପ୍ରଚାର କାର୍ଯ୍ୟରେ ନିୟୋଜିତ କରିପାରିବେ । ଏସବୁର ତାଲିକା ବିଜ୍ଞପ୍ତି ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ମୁଖ୍ୟନିର୍ବାଚନ କାର୍ଯ୍ୟାଳୟରେ ଦାଖଲ କରିବାକୁ ପଡ଼ିବ । ଏଥର ଉପନିର୍ବାଚନରେ ଜଣେ ବିଧାୟକ ପ୍ରାର୍ଥୀ ସର୍ବାଧିକ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିର୍ବାଚନୀ ଖର୍ଚ୍ଚ କରିପାରିବେ । ପ୍ରାର୍ଥୀମାନେ ଏକ ଅଲଗା ରେଜିଷ୍ଟରରେ ନିର୍ବାଚନପ୍ରଚାର ସମସ୍ତ ଖର୍ଚ୍ଚର ହିସାବ ରଖିବେ ଓ ଫଳାଫଳ ଘୋଷଣାର ୩୦ ଦିନ ମଧ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଏହାକୁ ଦାଖଲ କରିବେ । ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ସେମାନଙ୍କ ସମ୍ପର୍କରେ ଜନସାଧାରଣଙ୍କ ଅବଗତି ନିମନ୍ତେ ଅତିକମ୍‌ରେ ତିନିଥର ଖବରକାଗଜ ଓ ଟେଲିଭିଜନ୍ ମାଧ୍ୟମରେ ପ୍ରଚାରପ୍ରସାର କରାଇବେ । ସେହିପରି ସଂପୃକ୍ତ ରାଜନୈତିକ ଦଳମାନେ ମଧ୍ୟ ସେମାନଙ୍କ ପ୍ରାର୍ଥୀଙ୍କ ସଂପର୍କରେ ଦଳ ତରଫରୁ ଅତିକମ୍‌ରେ ତିନିଥର ଖବରକାଗଜ ଓ ଟେଲିଭିଜନ ମାଧ୍ୟମରେ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି ସଂପର୍କରେ ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରଚାରପ୍ରସାର କରିବେ ।
ସେହିପରି ଶ୍ରୀ ଲୋହାନୀ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ନାମାଙ୍କନପତ୍ର ପ୍ରତ୍ୟାହାରର ୪ ଦିନ ମଧ୍ୟରେ, ପ୍ରାର୍ôଥପତ୍ର ପ୍ରତ୍ୟାହାରର ୫ମରୁ ୮ମ ଦିନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ଓ ପ୍ରାର୍ôଥପତ୍ର ପ୍ରତ୍ୟାହାରର ୯ମ ଦିନରୁ ପ୍ରଚାରର ଶେଷଦିନ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟରେ ପ୍ରାର୍ଥୀମାନେ ସେମାନଙ୍କର ଅପରାଧିକ କାର୍ଯ୍ୟକଳାପ ସଂପର୍କରେ ପ୍ରଚାରପ୍ରସାର କରିବେ । ଶାନ୍ତିଶୃଙ୍ଖଳାର ସହ ଉପନିର୍ବାଚନ କାର୍ଯ୍ୟ ପରିଚାଳନା ଲାଗି ୫୦ ପ୍ରତିଶତ ବୁଥ୍‌ରେ ୱେବ୍‌କାଷ୍ଟିଙ୍ଗ୍ କରାଯିବା ସହ ଉତ୍ତେଜନାପ୍ରବଣ ବୁଥ୍‌ମାନଙ୍କରେ ୩୫ ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଉପନିର୍ବାଚନରେ ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ଗୃହ ମନ୍ତ୍ରଣାଳୟ ଦ୍ୱାରା ୫କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୁଲିସବଳଙ୍କୁ ନିଯୁକ୍ତ କରାଯାଇଛି । ଏତଦ୍‌ବ୍ୟତୀତ ପର୍ଯ୍ୟାପ୍ତ ସଂଖ୍ୟକ ରାଜ୍ୟ ପୁଲିସ୍ ବଳଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ଭୋଟ୍‌ଗ୍ରହଣ ଦିବସ ଅର୍ଥାତ୍ ଡିସେମ୍ବର ୫କୁ ସବୈତନିକ ଛୁଟି ଦିବସ ଭାବେ ଘୋଷଣା କରାଯାଇଛି । ମତଦାନ ଦିବସ ଓ ମତଗଣନା ଦିବସକୁ ‘ଡ୍ରାଏ ଡେ’ ଭାବେ ଘୋଷଣା କରାଯାଇଛି । ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଉପସ୍ଥିତ ଥିବା ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କର ସହଯୋଗ କାମନା କରଛନ୍ତି । ଉକ୍ତ ସର୍ବଦଳୀୟ ବୈଠକରେ ବହୁଜନ ସମାଜ ପାର୍ଟିର ସାଧାରଣ ସଂପାଦକ ମଧୁସୂଦନ ଯାଦବ, ଭାରତୀୟ ଜନତା ପାର୍ଟିର ରାଜ୍ୟସଂପାଦକ ରମାରଞ୍ଜନ ବଳିୟାରସିଂହ ଓ ଲିଗାଲ୍ ସେଲ୍‌ର ଜୟନ୍ତ କୁମାର ଜେନା, ବିଜୁ ଜନତା ଦଳର ଭୁବନେଶ୍ୱର(ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ବିଜୁ ଜନତା ଦଳର ସରିତା ମହାନ୍ତି, ରଞ୍ଜୁଲତା ରାୟ, ଆଶିଷ କୁମାର ପାଠକ, ଅଟଳ ମଲ୍ଲିକ ଓ ଭାରତୀୟ ଜତୀୟ କଂଗ୍ରେସର ଶିବାନନ୍ଦ ରାୟଙ୍କ ସହ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ପ୍ରମୁଖ ଉପସ୍ଥିତ ଥିଲେ ।