ଓଡ଼ିଶାର ସମସ୍ତ ବାସହୀନଙ୍କୁ ମିଳିବ ପିଏମ୍‌ ଆବାସ: କେନ୍ଦ୍ରମନ୍ତ୍ରୀ କମଲେଶ ପାସୱାନ

ନୂଆଦିଲ୍ଲୀ: ଓଡ଼ିଶାରେ ଆଉ କେହି ବାସହୀନ ହୋଇ ରହିବେ ନାହିଁ। ଖୁବଶୀଘ୍ର ରାଜ୍ୟର ସମସ୍ତ ବାସହୀନ ପରିବାରକୁ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ରେ ପକ୍କାଘର ଯୋଗାଇ ଦିଆଯିବ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ କମଲେଶ ପାସୱାନ। ମନ୍ତ୍ରୀ କହିଛନ୍ତି ଯେ, ଦେଶର କୌଣସି ବି ବ୍ୟକ୍ତି ଘର କିମ୍ବା ଶୌଚାଳୟରୁ ବଞ୍ଚିତ ହେବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ଘୋଷଣା କରିଥିଲେ। ଏହି କ୍ରମରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସାରା ଦେଶରେ ସର୍ଭେ ପ୍ରକ୍ରିୟା ଆରମ୍ଭ ହୋଇଛି। ସମସ୍ତ ରାଜ୍ୟରୁ ରିପୋର୍ଟ ମଗାଯାଇ ବାସହୀନଙ୍କ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଉଛି। ଏହି ସର୍ଭେ ଆଧାରରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ବିହାର ଓ ପଞ୍ଜାବ ଭଳି ରାଜ୍ୟଗୁଡ଼ିକର ସମସ୍ତ ବାସହୀନଙ୍କୁ ପିଏମ୍‌ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ। ଓଡ଼ିଶାରେ ମଧ୍ୟ ଅତିଶୀଘ୍ର ଏହି ପ୍ରକ୍ରିୟା ଶେଷ କରାଯାଇ ହିତାଧିକାରୀଙ୍କୁ ଆବାସ ମିଳିବ ବୋଲି ସେ ସ୍ପଷ୍ଟ କରିଛନ୍ତି।