ସମ୍ପୂର୍ଣ ରାମାୟଣର ଝଲକ ଦେଖାଇଲା ଆଲିଆଙ୍କ ଶାଢୀ

ମୁମ୍ବାଇ: ପୁରା ବିଧିବିଧାନ ସହ ସମ୍ପର୍ଣ୍ଣ ହୋଇଛି ପ୍ରଭୁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ । ଏହି ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ଏଥିସହ ଅନେକ ସେଲିବ୍ରିଟି ମଧ୍ୟ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ନିଜକୁ ଧନ୍ୟ ମନେ କରିଥିଲେ । ଏହି ଅବସରରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ସ୍ୱାମୀ ତଥା ଅଭିନେତା ରଣବୀର କପୁରଙ୍କ ସହ ଉତ୍ସବରେ ଯୋଗ ଦେଇଥିଲେ। ଏହି ସମୟରେ ଆଲିଆ ଭଟ୍ଟଙ୍କୁ ଏକ ନୀଳ ରଙ୍ଗର ମୈସୁର ରେଶମ ଶାଢୀରେ ଦେଖିବାକୁ ମିଳିଥିଲା ।

ସେହି ଶାଢୀରେ ତାଙ୍କ ଲୁକ୍ ବହୁତ ରୟାଲ ଦେଖାଯାଉଥିଲା | ଅଭିନେତ୍ରୀ ସାଧାସିଧା ଏକ ବନ୍ ହେୟାର ଷ୍ଟାଇଲ୍ ସହ ଲାଇଟ୍ ମେକଅପ୍ ନେଇଥିଲେ । ଅଭିନେତ୍ରୀଙ୍କ ଏହି ଲୁକ୍ ସହ ତାଙ୍କ ଫଟୋ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆଲିଆ ପିନ୍ଧିଥିବା ଏହି ସାଧାସିଧା ଶାଢୀ ବହୁତ ସ୍ୱତନ୍ତ୍ର ଥିଲା | କାରଣ ଏଥିରେ ପୁରା ରାମାୟଣର ଝଲକ ଦେଖାଯାଇଥିଲା | ସେଲିବ୍ରିଟି ଫ୍ୟାଶନ ଷ୍ଟାଇଲିଷ୍ଟ ଆମି ପଟେଲ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଆଲିଆଙ୍କ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି।

ଫଟୋ ସେୟାର କରିବା ସହ ସେ ଏକ କ୍ୟାପସନ୍ ମଧ୍ୟ ଲେଖିଛନ୍ତି । କ୍ୟାପସନରେ ସେ ଆଲିଆଙ୍କ ଶାଢୀର ବିଶେଷତା ଲେଖିଛନ୍ତି । ସେ ତାଙ୍କ କ୍ୟାପସନ୍ ରେ ଲେଖିଛନ୍ତି ଯେ, ସରଳ କିନ୍ତୁ ଐତିହାସିକ । ଆଲିଆ ଭଟ୍ଟଙ୍କ ଏହି ନୀଳ ମୈସୁର ରେଶମ ଶାଢୀର ଆଞ୍ଚଲରେ ଅତି ସୁକ୍ଷ୍ମ ଓ ଜଟିଳ ଭାବରେ ପୁରା ରାମାୟଣର ପ୍ରମୁଖ ଦୃଶ୍ୟ ଚିତ୍ରିତ ହୋଇଥିଲା । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଶିବଧନୁ ଭାଙ୍ଗିବା, ଦଶରଥଙ୍କ ବଚନ ପାଳନ କରିବା, ନାଉରିଆ ସହ ଡଙ୍ଗାରେ ନଦୀ ପାର ହେବା, ହରିଣ, ଅପହରଣ, ରାମ ସେତୁ, ମାତା ସୀତାଙ୍କୁ ହନୁମାନ ମୁଦ୍ରିକା ଦେବା, ରାମ ରାଜାଭିଷେକ ଆଦି ଚିତ୍ରକୁ ଖୁବ ନିଖୁଣତା ସହ ଏହି ଶାଢୀରେ ଅଙ୍କା ଯାଇଛି । ଏହି ସବୁ ଚିତ୍ର ପଟ୍ଟଚିତ୍ର ଶୈଳୀରେ ଶାଢୀରେ ଅଙ୍କା ଯାଇଛି । ରାମ ମନ୍ଦିରର ଉଦଘାଟନ ଅବସରରେ ଏହି ଶାଢୀ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥିଲା | ଏହାକୁ ତିଆରି କରିବାକୁ ୧୦୦ ଘଣ୍ଟା ସମୟ ଲାଗିଥିଲା  ।