ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ହୋଇପଡ଼ିଛି। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୦୦ ଅତିକ୍ରମ କରିବା ପରେ ଦିଲ୍ଲୀ-ଏନ୍ସିଆର୍ରେ ଗ୍ରାପ୍-୩ କଟକଣା କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କମିଶନ ଫର୍ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ (ସିଏକ୍ୟୁଏମ୍)ର ସବ୍କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନୂତନ କଟକଣା ଅନୁଯାୟୀ, ଅଞ୍ଚଳରେ ଧୂଳି ସୃଷ୍ଟି କରୁଥିବା ସମସ୍ତ ପ୍ରକାର ନିର୍ମାଣ ଓ ଭଙ୍ଗା କାର୍ଯ୍ୟ ଉପରେ କଟକଣା ଲଗାଯାଇଛି। ମାଟି ଖୋଳିବା, ପାଇଲିଂ, ଇଟା କାମ, ସଡ଼କ ନିର୍ମାଣ, ବଡ଼ ଧରଣର ୱେଲ୍ଡିଂ ଏବଂ ଖୋଲା ଗାଡ଼ିରେ ନିର୍ମାଣ ସାମଗ୍ରୀ ପରିବହନ ସମ୍ପୂର୍ଣ୍ଣ ବନ୍ଦ ରହିବ। ତେବେ ରେଳବାଇ, ମେଟ୍ରୋ, ବିମାନବନ୍ଦର, ହସ୍ପିଟାଲ ଏବଂ ଜାତୀୟ ସୁରକ୍ଷା ସମ୍ବନ୍ଧୀୟ ଜରୁରୀ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ପ୍ରଦୂଷଣ ନିୟମ ପାଳନ ସହ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦିଆଯାଇଛି।