ଭୁବନେଶ୍ୱର: ଅତ୍ୟାଧୁନିକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ବ୍ୟବହାର କରି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଫଟୋ ଓ ଭିଡିଓକୁ ବିକୃତ କରିବା ଅଭିଯୋଗରେ ଭୁବନେଶ୍ୱର ସାଇବର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଯୁବକ ଜଣକ ହେଲେ କଟକ ଜଗତପୁର ଅଞ୍ଚଳର ୨୨ ବର୍ଷୀୟ ବିଶ୍ୱଜିତ୍ ସାହୁ ଜଣେ ଇଲେକ୍ଟ୍ରିସିଆନ୍। ପୋଲିସ ଅନୁଯାୟୀ ଯେ, ବିଶ୍ୱଜିତ୍ ଇନଷ୍ଟାଗ୍ରାମ୍ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆରେ ‘ମିଷ୍ଟର ବିଶ୍ୱ’ ନାମକ ଏକ ଫେକ୍ଆକାଉଣ୍ଟ ଖୋଲିଥିଲା। ସେହି ଆକାଉଣ୍ଟ୍ ଜରିଆରେ ସେ ଏଆଇ ଟେକ୍ନୋଲୋଜି ସାହାଯ୍ୟରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ବଦଳାଇ ଏକାଧିକ ଆପତ୍ତିଜନକ ତଥା ଅଶ୍ଳୀଳ ରିଲ୍ସ ଏବଂ ଭିଡିଓ ପ୍ରସ୍ତୁତ କରୁଥିଲା। ଗାଳିଗୁଲଜ ସହ ସେହି ରିଲ୍ସ ଗୁଡିକୁ ନିଜ ପେଜ୍ରେ ପୋଷ୍ଟ କରି ନେତାମାନଙ୍କୁ ବଦନାମ କରିବାକୁ ସେ ପ୍ରୟାସ କରୁଥିଲା। ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ବିଜେପି ପକ୍ଷରୁ ସାଇବର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା। ଭୁବନେଶ୍ୱର ସାଇବର ପୋଲିସ ନିଜର ନିୟମିତ ସାଇବର ମନିଟରିଂ ସମୟରେ ଏହି ଟାର୍ଗେଟ୍ ମୂଳକ ଏବଂ ବିକୃତ ଭିଡିଓ ଗୁଡ଼ିକୁ ଠାବ କରିଥିଲା। ଏସିପି ସୁଚିସ୍ମିତା ଦାସ ଏହି ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଅଭିଯୁକ୍ତଙ୍କ ବିରୋଧରେ ଆଇଟି ଆକ୍ଟ ଅଧୀନରେ ଏକ ସ୍ୱତଃପ୍ରବୃତ୍ତ ମାମଲା ରୁଜୁ କରାଯାଇ ରବିବାର ଦିନ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରାଯାଇଛି ଏବଂ କୋର୍ଟ ଚାଲାଣ କରାଯାଇଛି।