ସମୀର ୱାଙ୍ଖଡେଙ୍କ ବିରୋଧରେ ଦଳିତ ସମାଜ ଆଣିଲା ଅଭିଯୋଗ

ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ନକଲି ଜାତିଗତ ପ୍ରମାଣ ଦେଇ ସେ ସରକାରୀ ଚାକିରି ପାଇଛନ୍ତି ବୋଲି ଦଳିତ ସଂଗଠନ ଆଜି ଅଭିଯୋଗ କରିଛନ୍ତି। ସ୍ୱାଭିମାନ ରିପ୍ଲବିକାନ ପାର୍ଟି ଓ ଭୀମ ଆର୍ମି ଏନେଇ ପୁଲିସ୍‌ରେ ଅଭିଯୋଗ ଦାଖଲ ବି କରିଛନ୍ତି। ସମୀର ୱାଙ୍ଖଡେ ନକଲି ଅନୁସୂଚିତ ଜାତି ପ୍ରମାଣପତ୍ର ଦାଖଲ କରି ସେହି ବର୍ଗରେ ସରକାରୀ ଚାକିରି ପାଇଥିବା ସେମାନେ କହିଛନ୍ତି।
ଏହାର କିଛି ଦିନ ପୂର୍ବରୁ ମହାରାଷ୍ଟ୍ରର ସଂଖ୍ୟାଲଘୁ ମନ୍ତ୍ରୀ ନବାବ ମଲିକ ସାମ୍ବାଦିକ ସମ୍ମିଳନୀର କରି ସମୀର ୱାଙ୍ଖଡେଙ୍କ ଜାତିଗତ ପ୍ରମାଣପତ୍ର ଉପରେ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ, “ମୁଁ ଏଠାରେ ସମସ୍ତଙ୍କୁ ସ୍ପଷ୍ଟ କରିବାକୁ ଚାହେଁ ଯେ ସୀମର ୱାଙ୍ଖଡେଙ୍କ ଅସଲ ମୁଖା ଖୋଲିବା ପଛରେ କୌଣସି ପ୍ରକାରର ଧାର୍ମିକ ଉଦ୍ଦେଶ୍ୟ ରଖିନାହିଁ।ତାଙ୍କ ଧର୍ମ ସହ ମୋର କୌଣସି ଅସୁବିଧା ନାହିଁ। କିନ୍ତୁ ସେ ଆଇଆରସି ଚାକିରି ପାଇବା ପାଇଁ ନକଲି ଜାତିଗତ ପ୍ରମାଣ ପତ୍ର ହାସଲ କରିଥିବା କଥା ମୁଁ କହିବାକୁ ଚାହୁଁଛି। ନକଲି ପ୍ରମାଣପତ୍ର ଦ୍ୱାରା ସେ ଅନୁସୂଚିତ ଜାତି ବର୍ଗରେ ସରକାରୀ ଚାକିରି କରିଛନ୍ତି। ଫଳରେ ଜଣେ ଯୋଗ୍ୟ ହିତାଧିକାରୀ ଚାକିରି ପାଇବାରୁ ବଞ୍ଚିତ ହୋଇଛନ୍ତି।”
ଶ୍ରୀ ମଲିକ ଟ୍ୱିଟ କରି ସମୀର ୱାଙ୍ଖଡେଙ୍କ ଜନ୍ମ ପ୍ରମାଣପତ୍ର ମଧ୍ୟ ସାର୍ବଜନୀନ କରିଥିଲେ। ଏଥିରେ ତାଙ୍କ ନାଁ ସମୀର ଦାଉଦ ୱାଙ୍ଖଡେ ରହିଥିଲା। ଅର୍ଥାତ ସେ ମୁସଲିମ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତେଣୁ ଅନୁସୂଚିତ ଜାତି ବର୍ଗରେ ସରକାରୀ ଚାକିରି ପାଇବାକୁ ଯୋଗ୍ୟ ନଥିଲେ।

Comments (0)
Add Comment