ବିବାଦ ପରେ କୋର୍ଟ ମ୍ୟାରେଜ୍ ପାଇଁ ଆବେଦନ କଲେ ତିର୍ତ୍ତୋଲ ବିଧାୟକ

ଦୀର୍ଘ ୭ ମାସ ଧରି ବହୁ ବାଦବିବାଦ,ଲୁଚକାଳି ଖେଳ ପରେ ଶେଷରେ ବିବାହ ପାଇଁ ମନ ବଳାଇଲେ ବିଧାୟକ । ସ୍ବର୍ଗତଃ ବିଜେଡି ବିଧାୟକ ବିଷ୍ଣୁ ଦାସ ଙ୍କ ପୁଅ ତଥା ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ନିଜର ପ୍ରେମିକା ସୋମାଲିକା ଦାଶଙ୍କୁ ବିବାହ ନିମନ୍ତେ ରାଜି ହୋଇଛନ୍ତି । ଆଜି ଉଭୟ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବିବାହ ନିମନ୍ତେ ଜଗତସିଂହପୁର ସବରେଜିଷ୍ଟରଙ୍କ କାର୍ଯ୍ୟାଳୟରେ ଉଭୟେ ଆବେଦନ କରିଛନ୍ତି । ଏହି ଆବେଦନ ପ୍ରକ୍ରିୟା ପ୍ରାୟ ଏକ ମାସ ଧରି ରହିବ ଓ ମାସକ ପରେ ପୁଣି ଏହି ସବରେଜିଷ୍ଟ୍ରାର ଅଫିସରେ ଉଭୟ ଆଇନଗତ ଭାବେ ବିବାହ କରିବେ । ଏହାକୁ ନେଇ ବିଜୟଙ୍କ ପ୍ରେମିକା ସୋମାଲିକା ଖୁସି ପ୍ରକଟ କରିଛନ୍ତି । କିନ୍ତୁ ବିଧାୟକ ବିଜୟ ଶଙ୍କର ନିଜ ମା’ଙ୍କ ଦେହ ଖରାପ ଥିବାରୁ ଏହି ପ୍ରସଙ୍ଗକୁ ନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ।
ଉଭୟ ପକ୍ଷଙ୍କ ଓକିଲ ବିବାହ ପାଇଁ ଆବେଦନ କରିବା ବେଳେ ସବ ରେଜିଷ୍ଟର ଅଫିସରେ ଉପସ୍ଥିତ ଥିଲେ । ତିର୍ତ୍ତୋଲ ବିଧାୟକ ଦୀର୍ଘଦିନ ଧରି ସୋମାଲିକା ଦାଶଙ୍କୁ ପ୍ରେମ କରୁଥିଲେ । ତେବେ ଗତ ନଭେମ୍ବର ମାସରୁ ସୋମାଲିକା ବିବାହ ପାଇଁ ଚାପି ପକାଇବାରୁ ,ବିଜୟ ଶଙ୍କର ତାଙ୍କ ଠାରୁ ସମସ୍ତ ସମ୍ପର୍କ ଛିନ୍ନ କରିଥିଲେ I ଏହାପରେ ସୋମାଲିକା ଉଭୟଙ୍କ ମଧ୍ୟରେ ଥିବା ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ସୋସିଆଲ ମିଡିଆରେ ସେୟାର କରି ଦେଇଥିଲେ । ପରେ ସୋମାଲିକା ଜଗତସିଂହପୁର ଏସପି ଅଫିସରେ ଏତଲା ଦେଇଥିଲେ । ଏବେ ଉଭୟଙ୍କ ମଧ୍ୟରେ ବିବାଦର ସମାଧାନ ହୋଇଥିବା ଜଣାପଡିଛି ।