ୟୁପି ବିଧାନସଭା ନିର୍ବାଚନରେ ଦମଦାର ବିଜୟ ପରେ ଏବେ ୟୁପି ବିଧାନ ପରିଷଦ ନିର୍ବାଚନ ଉପରେ ଫୋକସ୍ କରିଛି ଭାରତୀୟ ଜନତା ପାର୍ଟି । ଶନିବାର ଦଳ ପକ୍ଷରୁ ବିଧାନ ପରିଷଦ ନିର୍ବାଚନ ପାଇଁ ୩୦ ଜଣ ଆଶାୟୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ତେବେ ସବୁ ଚର୍ଚ୍ଚା ଓ ଆଲୋଚନା ଭିତରେ ବିଜେପି ପୂର୍ବତନ ବିଧାୟକ ଅରୁଣ କାନ୍ତ ଯାଦବଙ୍କୁ ବିଧାନ ପରିଷଦ ନିର୍ବାଚନ ପାଇଁ ଟିକେଟ୍ ଦେଇଛି , ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶ ବିଧାନ ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମାଙ୍କନ ତାରିଖକୁ ବଢାଇ ଦିଆଯାଇଛି । ପୂର୍ବରୁ କେବଳ ୧୯ ତାରିଖ ଯାଏଁ ନାମାଙ୍କନ ତାରିଖ ଥିବାବେଳେ, ଏବେ ଏହାକୁ ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ତେବେ ୩୬ ସିଟ୍ ପାଇଁ ଏହି ନିର୍ବାଚନ ହେବାକୁ ଥିବାବେଳେ, ପ୍ରଥମ ପର୍ଯ୍ୟାୟରେ କେବଳ ୩୦ ଜଣ ପ୍ରାର୍ଥୀଙ୍କ ନାଁ ବିଜେପି ପକ୍ଷରୁ ଘୋଷଣା କରାଯାଇଛି । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ଏପ୍ରିଲ ୯ ତାରିଖରେ ନିର୍ବାଚନ ହେବ । ଯାହାର ରେଜଲ୍ଟ ଏପ୍ରିଲ ୧୨ ତାରିଖରେ ଆସିବ ।
ୟୁପି ବିଧାନସଭାର ମୋଟ୍ ସିଟ୍ ସଂଖ୍ୟା ହେଉଛି ୧୦୦ । ଯାହା ଭିତରୁ ୩୬ ଜଣ ବିଧାନ ପରିଷଦ ସଦସ୍ୟଙ୍କୁ ସ୍ଥାନୀୟ ପ୍ରତିନିଧି ଚୟନ କରିଥାନ୍ତି । ଏହା ବ୍ୟତୀତ ସମୁଦାୟ ସିଟର ୧/୧୨ ପ୍ରତିଶତ ସିଟ୍ ଅର୍ଥାତ ୮-୮ଟି ସିଟ୍ ଶିକ୍ଷକ ଓ ସ୍ମାତକ କ୍ଷେତ୍ର ପାଇଁ ସଂରକ୍ଷିତ ରହିଛି । ଖାଲି ସେତିକି ନୁହେଁ, ଏହାସହ ୟୁପି ରାଜ୍ୟପାଳ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୦ ଜଣ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ବିଧାନ ପରିଷଦକୁ ମନୋନୀତ କରିଥାନ୍ତି । ଆଉ ବାକି ଥିବା ୩୮ ଆସନ ପାଇଁ ବିଧାନସଭାର ବିଧାୟକମାନେ ଭୋଟ୍ କରିଥାନ୍ତି ।
ସମାଜବାଦୀ ପାର୍ଟି ପାଖରେ ଏବେ ରହିଛି ବହୁମତ
ଉତ୍ତରପ୍ରଦେଶ ବିଧାନ ପରିଷଦର ମୋଟ୍ ସିଟ୍ ସଂଖ୍ୟା ହେଉଛି ୧୦୦, ଯାହା ଭିତରୁ ବହୁମତ ହାସଲ କରିବା ପାଇଁ କୌଣସି ବି ଦଳକୁ ୫୧ ସଦସ୍ୟଙ୍କୁ ସମର୍ଥନ ଆବଶ୍ୟକ । ତେବେ ବର୍ତ୍ତମାନ ୟୁପି ବିଧାନ ପରିଷଦରେ ସମାଜବାଦୀ ପାର୍ଟିର ୪୮ ଜଣ ସଦସ୍ୟ ରହିଛନ୍ତି । ସେହିପରି ବିଜେପିର ୩୬ ସଦସ୍ୟ ଅଛନ୍ତି । ତେବେ ଖୁବଶୀଘ୍ର ଏହି ଗଣିତରେ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି ।