ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ରାଜନୈତିକ ସଙ୍କଟ ଆହୁରି ଗଭୀର ହେବାରେ ଲାଗିଛି। ନନ୍ଦିଗ୍ରାମ ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ମାତ୍ର ଗୋଟିଏ ଦିନ ପରେ ଏବେ ରେଜିନଗର ଉପନିର୍ବାଚନରୁ ମଧ୍ୟ ମମତା ଗୋଷ୍ଠୀର ପ୍ରାର୍ଥୀ ଓହରି ଯାଇଛନ୍ତି। શନିବାର ରେଜିନଗରର TMC ପ୍ରାର୍ଥୀ ରବିଉଲ୍ ଆଲମ୍ ଚୌଧୁରୀ ଆନୁଷ୍ଠାନିକ ଭାବେ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିବା ଘୋଷଣା କରିଛନ୍ତି। ପ୍ରଶାସନିକ ଚାପ ଏବଂ ଦଳୀୟ କର୍ମୀଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଦାୟୀ କରି ରବିଉଲ୍ ଏହି ନିଷ୍ପତ୍ତି ନେଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଦଳ ପାଖରେ କୌଣସି ଅଫିସିଆଲ୍ ନିର୍ବାଚନୀ ଚିହ୍ନ ନାହିଁ। ଏହାସହ ରାଜ୍ୟ ପ୍ରଶାସନ ପକ୍ଷରୁ କର୍ମୀମାନଙ୍କୁ ହଇରାଣ ହରକତ କରାଯାଉଥିବାରୁ ଅଧିକାଂଶ କର୍ମୀ ନିଜ ଅଞ୍ଚଳ ଛାଡ଼ି ଚାଲିଯାଇଛନ୍ତି। ଏଭଳି ସ୍ଥିତିରେ କର୍ମୀମାନେ ନିର୍ବାଚନୀ ମଇଦାନରେ ରହିବାକୁ ଅସମର୍ଥତା ପ୍ରକାଶ କରିବାରୁ ସେ ନିଜେ ଲଢ଼େଇରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଅକ୍ଟୋବର ୬ ତାରିଖରେ ନନ୍ଦିଗ୍ରାମ ଓ ରେଜିନଗର ଦୁଇଟି ଆସନରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବାର କାର୍ଯ୍ୟକ୍ରମ ରହିଛି। ମାତ୍ର ଭୋଟଗ୍ରହଣ ପୂର୍ବରୁ ହିଁ ମମତା ବାନାର୍ଜୀ ଉଭୟ ଆସନରେ ନିଜ ପ୍ରାର୍ଥୀ ହରାଇସାରିଛନ୍ତି।